ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜଧାନୀରେ ବର୍ଷ ସାରା ଉତ୍ସବ, ମେଳା ତଥା ପ୍ରଦର୍ଶନୀ ଆଦି ସବୁବେଳେ ଦେଖିବାକୁ ମିଳିଥାଏ ଏବଂ ସେଠାରେ ଅନେକ ଷ୍ଟଲ ଗୁଡିକ ମଧ୍ୟ ପଡ଼ିଥାଏ । ବର୍ତ୍ତମାନ କରାଯାଇଥିବା ନୂତନ ଆଇନ ଅନୁସାରେ, ଉତ୍ସବ ଓ ପାର୍ବଣରେ ତଥା ଅସ୍ଥାୟୀ ଭାବେ ଦୋକାନ ପାଇଁ ଲୋକେ ଅନ୍ଲାଇନରେ ଆବେଦନ କରିପାରିବେ । ଭୁବନେଶ୍ୱର ଡଟ୍ ମି ପୋର୍ଟାଲକୁ ଯାଇ ଅନ୍ଲାଇନ୍ରେ ଆଗୁଆ ବୁକିଂ କରି ପାରିବେ ଦୋକାନୀ । ଏ ସମ୍ପର୍କରେ ଆଜି ସୂଚନା ଦେଇଛନ୍ତି ବିଏମ୍ସି କମିଶନର ପ୍ରେମଚାନ୍ଦ ଚୌଧୁରୀ।
ବିଏମ୍ସି କମିଶନର ସୂଚନା ଦେଇ କହିଛନ୍ତି ଯେ, କୌଣସି ନାଗରିକ ପୋର୍ଟାଲର ସିଟିଜେନ୍ ସର୍ଭିସେସ୍କୁ ଯାଇ ନୋ ଅବଜେକସନ୍ ସାର୍ଟିଫିକେଟ୍ ପର୍ମିସନ୍କୁ କ୍ଲିନ୍ କରି ସେବା ନେଇ ପାରିବେ । ଏହି ନୂତନ ପରିବର୍ତ୍ତନରେ ଆବେଦନକାରୀଙ୍କ ସମୟ ବଞ୍ଚିବା ସହ ଖର୍ଚ୍ଚ ମଧ୍ୟ କମ୍ ହେବ ଏବଂ ସ୍ୱଚ୍ଛତା ବଜାୟ ରଖିବାରେ ମଧ୍ୟ ସହାୟକ ହେବ ।
ରାଜଧାନୀରେ ସବୁବେଳେ ଅସ୍ଥାୟୀ ଷ୍ଟଲ ପଡୁଛି । ଏଣିକି ଆବେଦନକାରୀ ଇଆଡେ ସିଆଡେ ନବୁଲି ଘରେ ବସି ବଜାରରେ ଦୋକାନ କରି ପାରିବେ । ଇଚ୍ଛୁକ ବ୍ୟକ୍ତି ଅନ୍ଲାଇନରେ ଚିହ୍ନିତ ସ୍ଥାନଗୁଡିକୁ ବୁକ୍ କରିପାରିବେ । ତିନୋଟି ଜୋନ୍ରେ ଚିହ୍ନିତ ସ୍ଥାନ ଗୁଡିକ ହେଲା- ସାଉଥ ଇଷ୍ଟ ଜୋନ୍ର ସହୀଦନଗର ଅଞ୍ଚଳ ନନ୍ଦନକାନନ ଅଫିସ ପଛପାଖ, ଲକ୍ଷ୍ମୀସାଗର ଥାନା ସମ୍ମୁଖ । ସାଉଥ ୱେଷ୍ଟଜୋନ୍ର ପୋଖରୀପୁଟ୍ ଜିମ୍, ଆଇଗିଣିଆ ଓ ଯାତ୍ରା ପଡିଆ ଆଇସିଏଆର୍ ଗେଟ୍ ନିକଟ । ନର୍ଥଜୋନର ପଟିଆ ଆର୍ଟିଓ-୨ ପଛପାଖ, ଡମଣା କ୍ଲବ ଫିଲ୍ଡ ସାମ୍ନା, ନହରକଣ୍ଟା, ଜୟଦେବ କଲେଜ ସମ୍ମୁଖ ମିନି ଷ୍ଟାଡିୟମ ହାଟ, ପୁରୁଣ ପାହାଳ ଫାଣ୍ଡି ସମ୍ମୁଖ, ଟାଉନ କ୍ଲବ୍ ପଡିଆ ସାଇଡ୍, ପଦ୍ମାବତୀ ବିହାର ଯଜ୍ଞ ପଡିଆ, ଚନ୍ଦ୍ରଶେଖରପୁର ଭୁବନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନିକଟ ଷ୍ଟାଡିୟମ, ଗାଡ଼କଣ ଧୀରିକୁଟ୍ ବସ୍ତି ଓ ପାଣ୍ଡେରା ଜଗନ୍ନାଥ ମନ୍ଦିର।
ଡିସେମ୍ବର ୨୦ ତାରିଖରୁ ଜାନୁଆରୀ ୫ ତାରିଖ ମଧ୍ୟରେ ଦୋକାନ କରିବାକୁ ଉଚ୍ଛୁକ ବ୍ୟକ୍ତିମାନେ ଖୀଷ୍ଟମାସ ଓ ନୂଆବର୍ଷରେ ଦୋକାନ କରିପାରିବେ । ଏଥିପାଇଁ ସେମାନେ ଅନ୍ଲାଇନ୍ରେ ଆବେଦନ କରିପାରିବେ । ଦେୟଭାବେ ଲାଇସେନ୍ସ ପାଇଁ ପ୍ରତିବର୍ଗ ଫୁଟ୍କୁ ଟଙ୍କା୦.୬୦ ପଇସା ଧାର୍ଯ୍ୟ କରାଯାଇଛି । ଅସ୍ଥାୟୀ ଭୂମି ପାଇଁ ବର୍ଗଫୁଟ୍କୁ ଦିନପିଚ୍ଛା ୧.୬୦ ପଇସା, ପରିମଳ ପାଇଁ ଗୋଟିଏ ଷ୍ଟଲକୁ ୫୦ ଟଙ୍କା ଦେବାକୁ ହେବ । ନିୟମ ଅନୁସାରେ ପ୍ରଥମେ ଆବେଦନ କରିଥିବା ଲୋକ ପ୍ରଥମେ ଷ୍ଟଲ ପାଇବେ । ଚିହ୍ନିତ ସ୍ଥାନ ବାଦ୍ ନିୟମ ଉଲ୍ଲଙ୍ଘନ କରି ରାସ୍ତାକଡ଼ରେ ଦୋକାନ କରିଥିବା ଦୋକାନୀଙ୍କୁ ଉଠାଇ ଦିଆଯିବ ବୋଲି ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର ସୂଚନା ଦେଇଛନ୍ତି ।