ସନ୍ଷ୍ଟାର ଟିଭି ବ୍ୟୁରୋ
କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲାରେ ନିର୍ମାଣ ହେବାକୁ ଯାଉଛି ମହାନଦୀ ବନ୍ଦର । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ତେବେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀ ଅସିତ ତ୍ରିପାଠୀଙ୍କ ନେତୃତ୍ୱରେ 5T ସଚିବ ଶ୍ରୀ ଭି.କେ ପାଣ୍ଡିଆନ ଏବଂ ସ୍ୱତନ୍ତ୍ର ସଚିବ ଶ୍ରୀ ମନୋଜ ମିଶ୍ରଙ୍କ ଏକ ଉଚ୍ଚସ୍ତରୀୟ ଟିମ ପ୍ରସ୍ତାବିତ ମହାନଦୀ ବନ୍ଦର ଅଞ୍ଚଳ ପରିଦର୍ଶନ କରିଥିଲେ ।
କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଆଖଡାଶାଳି ଗ୍ରାମ ଅଞ୍ଚଳରେ ପ୍ରସ୍ତୁବିତ ଏହି ବନ୍ଦର ସବୁଦିନିଆ ବହୁମୁଖୀ ସେବା ଯୋଗାଇବ। ବାର୍ଷିକ ୫୪ ମେଟ୍ରିକ୍ ଟନ୍ କ୍ଷମତା ସମ୍ପନ୍ନ ଏହି ବନ୍ଦର ୪,୦୬୨ କୋଟି ଟଙ୍କା ବ୍ୟୟରେ ପିପିପି ମୋଡରେ ନିର୍ମାଣ ହେବାକୁ ଯାଉଛି; ଯାହାର ୨୨ ମେଟ୍ରିକ୍ ଟନ୍ କ୍ଷମତା ୧ମ ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ।ଏନେଇ ସହାୟକ ଭିତ୍ତିଭୂମି ଯେପରି ରାସ୍ତାଘାଟ, ରେଳ ଯୋଗାଯୋଗ ଆଦି ବିକାଶ ଦାୟିତ୍ୱ ପାରାଦୀପ ପୋର୍ଟ ଟ୍ରଷ୍ଟକୁ ପ୍ରଦାନ କରାଯାଇଛି । ରାଜ୍ୟ ସରକାର ଏହି ପ୍ରକଳ୍ପ ପାଇଁ ୩୦୦ ହେକ୍ଟର ଜମି ଚିହ୍ନଟ କରିଛନ୍ତି । ଏଥିସହ ପ୍ରକଳ୍ପ ପାଇଁ ଆବଶ୍ୟକ ସ୍ଥଳେ ଅତିରିକ୍ତ ଜମି ଯୋଗାଇ ଦେବେ ବୋଲି ରାଜ୍ୟ ସରକାର କହିଛନ୍ତି।
ଏହି ବନ୍ଦର କାର୍ଯ୍ୟକ୍ଷମ ହେଲେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରଥମ ପର୍ଯ୍ୟାୟରେ ୪୦୦୦ ଓ ଦ୍ଵିତୀୟ ପର୍ଯ୍ୟାୟରେ ୧୭୦୦ ନିଯୁକ୍ତି ସୃଷ୍ଟି କରିବ । ଏହି ନଦୀ ବନ୍ଦର ସହ ରାଜ୍ୟ ସରକାରଙ୍କ ସହଯୋଗରେ ନିର୍ମିତ ହରିଦାସପୁର-ପାରାଦୀପ ରେଳ ଲାଇନ କେନ୍ଦ୍ରାପଡ଼ା ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧି ଓ ପ୍ରଗତିରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ।