ସନ୍ଷ୍ଟାର ଟିଭି ବ୍ୟୁରୋ
ଲକ୍ଷ୍ନୌ: ଅଯୋଧ୍ୟାରେ ରାମ ମନ୍ଦିରର ନକ୍ସା ଜାରି ହେବା ପରେ ଏବେ ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଥିବା ମସ୍ଜିଦର ନକ୍ସା ବା ଫାଷ୍ଟ ଲୁକ ଜାରି କରାଯାଇଛି । ‘ସୁନ୍ନି ସେଂଟ୍ରାଲ ୱାକଫ ବୋର୍ଡ’ ମସଜିଦ ନିର୍ମାଣ ପାଇଁ ‘ଇଣ୍ଡୋ ଇସଲାମିକ କଲଚର ଫାଉଣ୍ଡେସନ’ ନାମକ ଏକ ଟ୍ରଷ୍ଟ ଗଠନ କରିଛି । ଏହି ମସ୍ଜିଦ ଅଯୋଧ୍ୟାର ଧନ୍ନିପୁରରେ ନିର୍ମାଣ ହେବ । ତେଣୁ ସେହି ଟ୍ରଷ୍ଟ ପକ୍ଷରୁ ଏହି ମସ୍ଜିଦର ନକ୍ସା ଜାରି କରାଯାଇଛି । ଏହି ନକ୍ସାକୁ ଦେଖିବା ପରେ ଅନୁମାନ କରିହେଉଛି ଯେ, ବିଶ୍ୱର ଅନେକ ବଛା ବଛା ଆକର୍ଷଣୀୟ ମସଜିଦ ମଧ୍ୟରେ ଏହା ପରିଗଣିତ ହେବ । ଜାନୁୟାରି ୨୬ ତାରିଖରୁ ଏହି ଭବ୍ୟ ମସ୍ଜିଦ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।
ତେବେ ଶନିବାର ଲକ୍ଷ୍ନୌରେ ଆୟୋଜିତ ଆଇଆଇସିଏଫ ଟ୍ରଷ୍ଟର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ଭବ୍ୟ ମସ୍ଜିଦର ନକ୍ସାକୁ ସାର୍ବଜନୀନ କରିଛନ୍ତି ବାସ୍ତୁବିଦ ତଥା ମସଜିଦର ଡିଜାଇନର ପ୍ରଫେସର ଏସ୍ ଏମ୍ ଅଖତର । ମସଜିଦର ଶିଳାନ୍ୟାସ, ନିର୍ମାଣ ପ୍ରକ୍ରିୟା ଏବଂ ମସଜିଦର ନାମ ଏସବୁ ପ୍ରସଙ୍ଗରେ ବୋର୍ଡ ମୋହର ମାରିଥିବା ଜଣାପଡିଛି । ତେବେ ସେସବୁ ସମୟ ଆସିଲେ ସମସ୍ତଙ୍କୁ ଜଣାଇ ଦିଆଯିବ ବୋଲି କହିଛନ୍ତି ଟ୍ରଷ୍ଟ ଅଧ୍ୟକ୍ଷ ମୌଲାନା ଜୁଫର ଫାରୁକି । ମସଜିଦ ପରିସରରେ ଏକ ମଲ୍ଟି ସ୍ପେଶିଆଲିଷ୍ଟ ହସ୍ପିଟାଲ, ସାର୍ବଜନୀନ ଭୋଜନାଳୟ, ଆଧୁନିକ ପୁସ୍ତକାଳୟ, ପ୍ରକାଶନ ଗୃହ ଓ ମ୍ୟୁଜିୟମ ମଧ୍ୟ ନିର୍ମାଣ କରାଯିବ । ଇଣ୍ଡୋ ଇସଲାମିକ କଲଚର ଫାଉଣ୍ଡେସନର ପ୍ରବକ୍ତା ଅତହୁର ହୁସେନ କହିଛନ୍ତି, ୫ ଏକର ଜମିରେ ୩୫ଶହ ବର୍ଗଫୁଟର ଦ୍ୱି ମହଲା ବିଶିଷ୍ଟ ପ୍ରାସାଦ ମସଜିଦ ନିର୍ମାଣ କରାଯିବ ।
ଯେଉଁଥିରେ ଏକାଥରକେ ୨ହଜାରରୁ ଅଧିକ ଲୋକ ନମାଜ ପାଠ କରିପାରିବେ ଏବଂ ଏଠାରେ ମହିଳାଙ୍କ ନମାଜ ପାଠ ପାଇଁ ସ୍ୱତନ୍ତ୍ର ସ୍ଥାନ ରହିବ । ସେହିପରି ୨୪ ହଜାର ୧୫୦ ବର୍ଗଫୁଟର ଜାଗାରେ ୪ ମହଲା ବିଶିଷ୍ଟ ହସ୍ପିଟାଲ ନିର୍ମାଣ ହେବ । ଯେଉଁଥିରେ ଅତିକମରେ ୩ଶହ ଶଯ୍ୟା ରହିବ । ସୁନ୍ନୀ ସେଂଟ୍ରାଲ ୱାକଫ ବୋର୍ଡର ସୂଚନା ଅନୁସାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମିଳିଥିବା ୫ ଏକର ଜମିରେ ମସ୍ଜିଦ ନିର୍ମାଣ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଛି । ଏବେ ଶିଳାନ୍ୟାସର ଔପଚାରିକତା ପରେ ମସଜିଦ ସମେତ ଅନ୍ୟ ଭବନ ଗୁଡିକର ନିର୍ମାଣ କାମ ଆରମ୍ଭ କରାଯିବ ।