ସନ୍ଷ୍ଟାର ଟିଭି ବ୍ୟୁରୋ
ପୁରୀ: ଦୀର୍ଘ ୯ ମାସ ହେବ କରୋନା ଯୋଗୁଁ ବନ୍ଦ ରହିଥିବା ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିର ଆସନ୍ତା ଡିସେମ୍ବର ୨୩ରେ ଭକ୍ତଙ୍କ ପାଇଁ ଖୋଲିବାକୁ ଯାଉଛି । ଏବେ ଶ୍ରୀମନ୍ଦିରକୁ ଦର୍ଶନ କରିବା ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ମାତ୍ର ଶହେ ଟଙ୍କାରେ ସେଠାରେ ରହିପାରିବେ । ଏ ନେଇ ସୂଚନା ଦେଇଛନ୍ତି ପୁରୀ ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ସାଧାରଣ ଭକ୍ତମାନେ କିପରି ସ୍ୱଳ୍ପ ମୂଲ୍ୟରେ ରହିପାରିବେ, ସେଥି ନିମନ୍ତେ ଭକ୍ତ ନିବାସ ନିର୍ମାଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଉମଧ୍ୟ କହିଛନ୍ତି ଯେ, ବାସେଳୀ ସାହି ଥାନା ନିକଟରେ ଭକ୍ତ ନିବାସ ନିର୍ମାଣ ହେବ ଏଥିରେ ଶହେରୁ ଦେଢ଼ ଶହ ଟଙ୍କାରେ ଭକ୍ତମାନେ ରହିପାରିବେ । ଭକ୍ତ ନିବାସ ନିର୍ମାଣ ଲାଗି ୯ରୁ ୧୦ ଏକର ଜାଗା ଚିହ୍ନଟ ମଧ୍ୟ ହୋଇଛି । ଏହି ଭକ୍ତ ନିବାସରେ ଯେପରି ୩ରୁ ୪ ହଜାର ଲୋକ ରହିପାରିବେ ସେଭଳି ଏହାକୁ ନିର୍ମାଣ କରାଯିବ ।
ପୁରୀକୁ ପ୍ରତ୍ୟେକ ଦିନ ଲକ୍ଷାଧିକ ଭକ୍ତ ଭଗବାନଙ୍କ ଦର୍ଶନ ପାଇଁ ଆଗମନ କରିଥାନ୍ତି । କରୋନା ମହାମାରୀ ଯୋଗୁଁ ମାର୍ଚ୍ଚ ମାସରୁ ପୁରୀରେ ପର୍ଯ୍ୟଟକଙ୍କ ସଂଖ୍ୟାରେ ହ୍ରାସ ପାଇଥିବା ବେଳେ ପୁଣି ଥରେ ଶ୍ରୀମନ୍ଦିର ଖୋଲିବାକୁ ଯାଉଛି । ମନ୍ଦିର ଖୋଲିଲେ ପୁଣି ଭକ୍ତଙ୍କ ସଂଖ୍ୟା ବଢିବ। ତେବେ ଭକ୍ତମାନେ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି।