ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଚାଷୀଙ୍କ ଆନ୍ଦୋଳନ ୨୦ ଦିନରେ ପହଞ୍ଚିଥିବା ବେଳେ ସରକାରଙ୍କ ନୂତନ କୃଷି ଆଇନ୍ ବିଲକୁ ଗ୍ରହଣ ନକରିବା ପାଇଁ ଜିଦ୍ରେ ଅଡି ବସିଛନ୍ତି କୃଷକ ସଂଗଠନ । ତେବେ ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସାମାଜିକ କର୍ମୀ ଆନ୍ନା ହଜାରେ ଆଜି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଏକ ପତ୍ର ଲେଖି ଜଣାଇଛନ୍ତି ଯେ ‘ଯଦି ଖୁବ୍ଶୀଘ୍ର ଚାଷୀଙ୍କ ସମସ୍ୟାର ସମାଧାନ କେନ୍ଦ୍ର ସରକାର ନକରନ୍ତି, ତେବେ ମୁଁ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ଅନଶନ କରିବି’ । କୃଷି ମନ୍ତ୍ରୀ ଶ୍ରୀ ତୋମାରଙ୍କୁ ଲେଖିଥିବା ପତ୍ରରେ ଆନ୍ନା କହିଛନ୍ତି ଯେ ‘ମୁଁ ଆପଣଙ୍କୁ ଆନ୍ଦୋଳନର ତାରିଖ ଏବଂ ସ୍ଥାନ ବିଷୟରେ ଜଣାଇବି’।
ମହାରାଷ୍ଟ୍ରର ସାମାଜିକ କାର୍ଯ୍ୟକର୍ତ୍ତା ତଥା ’ଦୁର୍ନୀତି ବିରୋଧରେ ଭାରତ’ ଆନ୍ଦୋଳନର ମୁଖ୍ୟ ପୁରୋଧା ଆନ୍ନା ହଜାରେ କହିଛନ୍ତି ଯେ ନୂତନ କୃଷି ଆଇନକୁ ବିରୋଧ କରୁଥିବା ଚାଷୀଙ୍କୁ ଓ ସେମାନଙ୍କର ଦାବୀକୁ ସେ ସମର୍ଥନ କରୁଛନ୍ତି। ଚାଷୀମାନଙ୍କୁ ସେମାନଙ୍କର ହକ୍ ଓ ସେମାନଙ୍କ ଦ୍ୱାରା ଉତ୍ପାଦିତ ଫସଲର ଉପଯୁକ୍ତ ମୂଲ୍ୟ ଦାବୀ କରି କୃଷକମାନେ ଯେଉଁ ଆନ୍ଦୋଳନ ଆରମ୍ଭ କରିଛନ୍ତି, ସେ ତାହାକୁ ପୂର୍ଣ୍ଣ ଭାବରେ ସମର୍ଥନ କରୁଛନ୍ତି। କୃଷକମାନଙ୍କର ଦାବୀ ଯଥାର୍ଥ ଥିବାବେଳେ ସରକାର ସେମାନଙ୍କର ଦାବୀ ପ୍ରତି କର୍ଣ୍ଣପାତ ନକରି ନିଜ ଜିଦ୍ରେ ଅଟଳ ରହିବା ପରିତାପର ବିଷୟ।
ତେଣୁ, ଚାଷୀଙ୍କ ହକ୍ ପୂରଣ ପାଇଁ ମୁଁ ଅନଶନ ଆରମ୍ଭ କରିବି ଏବଂ ସରକାର ବଳପୂର୍ବକ ଭାବେ ଚାଷୀଙ୍କ ଆନ୍ଦୋଳନକୁ ଦମନ କରିବାକୁ ଯେଉଁ ଉଦ୍ୟମ ଆରମ୍ଭ କରିଛନ୍ତି ତାହାକୁ ସଫଳ ହେବାକୁ ଦେବି ନାହିଁ ବୋଲି ଆନ୍ନା ହଜାରେ କହିଛନ୍ତି ।