ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: ଆଜି ଦେଶରେ କୃଷି ଆନ୍ଦୋଳନ ୧୮ ଦିନରେ ପହଞ୍ଚି ଥିବା ବେଳେ ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ କୃଷି ଆଇନ ପ୍ରତ୍ୟାହାର ଦାବିରୁ ହଟି ନାହାଁନ୍ତି କୃଷକ ସଂଘ । କେନ୍ଦ୍ର କୃଷି ଆନ୍ଦୋଳନକୁ ସମର୍ଥନ କରି ରବିବାର ସକାଳେ କଟକ ଶିଖରପୁରସ୍ଥିତ ଗୁରୁଦ୍ୱାର ଗୁରୁ ନାନକ ଦାଟନ ସାହିବ କମିଟିର ସଭାପତି ଏସ୍ ଜଗରାଜ ସିଂହଙ୍କ ନେତୃତ୍ୱରେ ଏକ ବିରାଟ ବିକ୍ଷୋଭ ପଟୁଆର ଗୁରୁଦ୍ୱାର ଠାରୁ ବାହାରି ସହରର ବିଭିନ୍ନ ଗଳି ମଧ୍ୟ ଦେଇ ସଭା ମଣ୍ଡପକୁ ଫେରିଥିଲା। କୃଷି ଆଇନକୁ ତୁରନ୍ତ ପ୍ରତ୍ୟାହାର କରିବାକୁ କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନିଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ଦେଶ୍ୟରେ ସେମାନେ ଏକ ଦାବିପତ୍ର ପଠାଇଛନ୍ତି। ଏହି ବିକ୍ଷୋଭ ପଟୁଆରରେ ସମ୍ପାଦକ ତ୍ରିଲୋଚନ ସିଂ, ପରାମର୍ଶଦାତା କମିଟି ସଭ୍ୟ ଏସ୍ ପ୍ୟାରା ସିଂହ, ଏସ୍ ଅବତାର ସିଂହ, ଏସ୍ ଗୁରୁଚରଣ ସିଂହ, ଏସ୍ ଶୁକଦେବ ସିଂହ, ଶିଖରପୁର ସାହି ମୁରବି ତଥା ରାଜ୍ୟ ଟ୍ରକ୍ ଆସୋସିଏନ୍ ସଭାପତି ଶରତ ପ୍ରଧାନ, ସଭାପତି ଜୟନ୍ତ ପ୍ରଧାନ, ସମ୍ପାଦକ ବିଷ୍ଣୁ ଚରଣ ନାୟକ, ଯୁଗ୍ମ ସମ୍ପାଦକ ଲକ୍ଷ୍ମୀଧର ମହାନ୍ତି, ସାହି ଅଧିକାରୀ ବାବୁଲା ରାଉତଙ୍କ ସମେତ ପୂଜା କମିଟି ସଦସ୍ୟମାନେ ସାମିଲ ହୋଇଥିଲେ।
image courtesy sambad
କୌଣସି ପ୍ରକାରର ଆଲୋଚନା ବିନା କେନ୍ଦ୍ର ସରକାର ଏହି କୃଷି ଆଇନ ପ୍ରଣୟନ କରିଥିବାରୁ ଦେଶର କୃଷକମାନେ ଏହାକୁ ଗ୍ରହଣ କରିବାକୁ ନାରାଜ। ଏପରି ପରିସ୍ଥିତିରେ, ଦେଶର ବିଭିନ୍ନ ପ୍ରାନ୍ତରୁ ଲକ୍ଷ ଲକ୍ଷ କୃଷକ ପରିବାର ଛାଡ଼ି ଭୋକ ଉପାସରେ ଦିଲ୍ଲୀ ସୀମାନ୍ତରେ ଶୀତ କାକରରେ ପଡ଼ିରହିଛନ୍ତି। ନୂତନ କୃଷି ଆଇନର ତିନୋଟି ଧାରାକୁ ପ୍ରତ୍ୟାହାର ପାଇଁ ସେମାନେ ଅଡ଼ି ବସିଛନ୍ତି। କିନ୍ତୁ, କେନ୍ଦ୍ର ସରକାର ଏହାକୁ ପ୍ରତ୍ୟାହାର କରିବା ପାଇଁ ନାରାଜ। ତେବେ ଯେପର୍ଯ୍ୟନ୍ତ ସରକାର ଏହି କୃଷି ଆଇନକୁ ପ୍ରତ୍ୟାହାର କରିନାହାଁନ୍ତି, ସେଯାଏଁ ଚାଷୀ ଏହି ଆନ୍ଦୋଳନରୁ ହଟିବେ ନାହିଁ ।