ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲ: ବୁଧବାର ଦିନ ସ୍ପେସ୍ଏକ୍ସ୍’ର ‘ପ୍ରୋଟୋଟାଇପ୍’ ରକେଟ୍ ‘ଷ୍ଟାର୍ସିପ୍’ର ବିସ୍ଫୋରଣ ଘଟିଛି। ଏହି ରକେଟ୍ ଟେକ୍ସାସ୍ର ଉତ୍କ୍ଷେପଣ କେନ୍ଦ୍ରରୁ ସଫଳ ପରୀକ୍ଷାମୂଳକ ଉତ୍କ୍ଷେପଣ କରାଯିବା ପରେ ଅବତରଣ ସମୟରେ ଏହାର ବିସ୍ଫୋରଣ ଘଟିଛି । ଭବିଷ୍ୟତରେ ଛଅ ମହଲା ଅଟ୍ଟାଳିକା ଉଚ୍ଚତାବିଶିଷ୍ଟ ‘ସ୍ପେସ୍ଏକ୍ସ’ର ‘ଷ୍ଟାର୍ସିପ୍’ ନାମକ ଏହି ରକେଟ୍ ଚନ୍ଦ୍ର ଓ ମଙ୍ଗଳ ଗ୍ରହ ଅଭିଯାନରେ ବ୍ୟବହୃତ ହେବ। ଏଥିରେ ମଣିଷ ସହ ୧୦୦ ଟନ୍ ଓଜନର ବିଭିନ୍ନ ସାମଗ୍ରୀ ପରିବହନ କରାଯାଇ ପାରିବ ବୋଲି ଏଲନ୍ ମସ୍କ୍ଙ୍କ ଘରୋଇ ମହାକାଶ କମ୍ପାନି ‘ସ୍ପେସ୍ଏକ୍ସ୍’ ଯୋଜନା କରିଛି।
ବୁଧବାର ଦିନ ଏହି ‘ସେଲ୍ଫ୍-ଗାଇଡେଡ୍’ ରକେଟ୍ ‘ଷ୍ଟାର୍ସିପ୍’ ଆକାଶକୁ ଉଠି ପୁଣି ଧୀରେ ଧୀରେ ‘ଲ୍ୟାଣ୍ଡିଙ୍ଗ୍ ପ୍ୟାଡ୍’ରେ ଅବତରଣ କରିଥିଲା। କିନ୍ତୁ, କ୍ରାସ୍ ଲ୍ୟାଣ୍ଡିଙ୍ଗ୍ ଯୋଗୁଁ ଏଥିରେ ବିସ୍ଫୋରଣ ଘଟିଥିଲା। ‘ସ୍ପେସ୍ଏକ୍ସ’ଦ୍ୱାରା ନୂଆକରି ବିକଶିତ ‘ରାପ୍ଟର୍ ଇଞ୍ଜିନ୍’ ସହାୟତାରେ ପ୍ରଥମ ଥର ପାଇଁ ଉତ୍କ୍ଷେପିତ ଏହି ରକେଟ୍ ୪୧,୦୦୦ ଫୁଟ୍ ଉଚ୍ଚକୁ ଉଠିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା।
କିନ୍ତୁ, ରକେଟ୍ଟି ନିର୍ଦ୍ଧାରିତ ଉଚ୍ଚତାକୁ ଯାଇଥିଲା କି, ନାହିଁ ‘ସ୍ପେସ୍ଏକ୍ସ’ ସୁନିଶ୍ଚିତ ହୋଇପାରିନାହିଁ। ଏହାର ବିସ୍ଫୋରଣ ଘଟଣା ପରେ ‘ଏଲନ୍ ମସ୍କ୍’ ତୁରନ୍ତ ଟୁଇଟ୍ କରି ସୂଚନା ଦେଇଥିଲା ଯେ, ଅବତରଣ ସମୟରେ ‘ଫୁଏଲ୍ ହେଡର୍ ଟ୍ୟାଙ୍କ୍’ର ନିମ୍ନଚାପ କାରଣରୁ ଅବତରଣ ବେଗ ବୃଦ୍ଧି ପାଇଥିଲା, ଯାହାଫଳରେ ରକେଟ୍ କ୍ରାସ୍ ଲ୍ୟାଣ୍ଡିଙ୍ଗ୍ କରିଛି।