ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ଘର ଆଗରେ ପୋଷ୍ଟର ଲଗାଇବା ନିୟମକୁ ଦେଶର ସର୍ବୋଟଚ୍ଚ ନ୍ୟାୟାଳୟ ଅଗ୍ରାହ୍ୟ କରିଛନ୍ତି । ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ନଥିଲେ କୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳର ସରକାର କୋଭିଡ୍-୧୯ ରୋଗୀଙ୍କ ଘର ବାହାରେ ପୋଷ୍ଟର ଲଗାଇ ପାରିବେ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ ।
ଦେଶର ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ଅଶୋକ ଭୂଷଣ, ଜଷ୍ଟିସ୍ ଆର ସୁଭାଷ ରେଡ୍ଡୀ ଓ ଜଷ୍ଟିସ୍ ଏମ ଆର ଶାହାଙ୍କୁ ନେଇ ଗଠିତ ଏକ ତିନିଜଣିଆ ଖଣ୍ଡପୀଠରେ ଏ ନେଇ ନିଷ୍ପତି ନେଇଛନ୍ତି । କରୋନା ରୋଗୀଙ୍କ ଘର ବାହାରେ ପୋଷ୍ଟର ଲଗାଇବା ଦ୍ଵାରା ରୋଗୀ ସାମାଜିକ କଳଙ୍କ ଶିକାର ହେବା ସହ ରୋଗୀର ଗୋପନୀୟତା ଅଧିକାର ମଧ୍ୟ କ୍ଷୁଣ୍ଣ ହେଉଛି ବୋଲି ମତ ଦେଇଛନ୍ତି ।
ଶୁଣାଣି କାଳରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କୋଭିଡ୍-୧୯ ଗାଇଡ୍ଲାଇନ୍ରେ ଏପରି କୌଣସି ପ୍ରସ୍ତାବ ଦିଆଯାଇ ନଥିଲା; ତେବେ ନିଜ ନିଜ ଅଞ୍ଚଳରେ କୋଭିଡ୍-୧୯ ସଂକ୍ରମଣ ବିସ୍ତାରକୁ ରୋକିବା ପାଇଁ କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିଜେ ଏହାକୁ କାର୍ଯ୍ୟକାରୀ କରିଥାଇ ପାରନ୍ତି ବୋଲି ତୁଷାର ମେହେଟ୍ଟା କୋର୍ଟଙ୍କୁ କହିଥିଲେ। ଏହା ଶୁଣିବା ପରେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ନଥିଲେ କୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ସରକାର କୋଭିଡ୍-୧୯ ରୋଗୀଙ୍କ ଘର ବାହାରେ ପୋଷ୍ଟର ଲଗାଇ ପାରିବେ ନାହିଁ ବୋଲି କୋର୍ଟ ରାୟ ଶୁଣାଇଛନ୍ତି।