ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଆଜି ଭାରତବନ୍ଦ । ନୂତନ କୃଷି ଆଇନକୁ ବିରୋଧ କରି ଭାରତବନ୍ଦ ଡାକରା ଦେଇଛନ୍ତି କୃଷକ ସଂଘ । ଦିନ ୧୧ଟାରୁ ଅପରାହ୍ଣ ୩ଟା ଯାଏଁ ଦେଶବ୍ୟାପୀ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବେ କୃଷକ । ତେବେ ଏହାର ପ୍ରଭାବ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ଓଡିଶାର ରାଜଧାନୀ ଭୁବନେଶ୍ଵରରେ ସକାଳୁ ସକାଳୁ ଆରମ୍ଭ ହୋଇଯାଇଛି ଆନ୍ଦୋଳନ । କଂଗ୍ରେସର ବରିଷ୍ଠ ନେତା ନିରଞନ ପଟ୍ଟନାୟକ, ସୁର ରାଉତରାୟ, ଶ୍ରୀକାନ୍ତ ଜେନା ଆଦି ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ମାଷ୍ଟର କ୍ୟାଣ୍ଟନ ଠାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଜୟଦେବ ବିହାର ଛକରେ ରାସ୍ତା ଅବରୋଧ ହୋଇ ଗାଡ଼ି ଚଳାଚଳ ବନ୍ଦ ରହିଛି ।
ରାୟଗଡ଼ା ଗୁଣପୁରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ଶ୍ରମିକ ସଂଗଠନ ଓ ବାମଦଳ ପକ୍ଷରୁ ରାସ୍ତା ଅବରୋଧ ସହ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ବିଭିନ୍ନ ସ୍ଥାନରେ ପିକେଟିଂ ସହ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି। ରାଉରକେଲାରେ ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭ ଯୋଗୁଁ ରାଉରକେଲାରେ ବସ୍ ଚଳାଚଳ ବନ୍ଦ ରହିଛି। ଗୁଣୁପୁର ଓଭରବ୍ରିଜ୍ ଉପରେ ସିପିଏମ୍ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି। ଭାରତବନ୍ଦ ପ୍ରଭାବରେ ଚାରି ଆଡେ ଗାଡି ମଟର ମଧ୍ୟ ବନ୍ଦ ରହିଛି । କିଛି ଅପ୍ରିତୀକର ପରିସ୍ଥିତି ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି ।
ଚାଷୀଙ୍କ ଧର୍ମଘଟକୁ ସମର୍ଥନ କରିଛନ୍ତି କଂଗ୍ରେସ, ଏନ୍ସିପି, ଏସ୍ପି, ଆପ୍, ଡିଏମ୍କେ, ଶିବସେନା ସମେତ ଅଧିକାଂଶ ବିରୋଧୀ ଦଳ। ଏଣେ ପ୍ରସ୍ତାବିତ ଆନ୍ଦୋଳନକୁ ବିଶାଳକାୟ କରିବାକୁ ପୂରା ଦେଶରୁ ବଳ ଯୋଗାଡ଼ୁଛନ୍ତି ଚାଷୀ ସଂଗଠନ। ୪୦୦ରୁ ଅଧିକ କୃଷକ ସଂଗଠନ ଏହାର ସମର୍ଥନ କରୁଛନ୍ତି ।