ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁୂବନେଶ୍ଵର: ରାଜ୍ୟରେ କରୋନାର ଟିକାକରଣକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଯେଭଳି ଟିକାକରଣ ବ୍ୟବସ୍ଥା ସୁଗମ ହୋଇପାରିବ, ସେ ନେଇ ବିଭିନ୍ନ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ଆଜି ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।
ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ କମିଟିମାନ ଗଠନ କରାଯାଇଛି। ୨୧ ଜଣଙ୍କୁ ନେଇ ରାଜ୍ୟସ୍ତରୀୟ ଟିକାକରଣ କମିଟି ଗଠନ କରାଯାଇଛି ଓ ଏହାର ଅଧ୍ୟକ୍ଷ ରହିବେ ପରିବାର କଲ୍ୟାଣ ନିର୍ଦ୍ଦେଶକ। ଏଥିରେ ସଦସ୍ୟ ସଚିବ ଭାବେ କାମ କରିବେ ରାଜ୍ୟ ଟିକାକରଣ ଅଧିକାରୀ । ସେହିପରି ରାଜ୍ୟ ଡ୍ରଗ୍ କଣ୍ଟ୍ରୋଲର, କ୍ୟାପିଟାଲ ହସ୍ପିଟାଲ ଏବଂ ଏସ୍ସିବି ବଡ ମେଡିକାଲର କିଛି ବିଭାଗୀୟ ମୁଖ୍ୟଙ୍କ ସହ ଅନ୍ୟ ସମ୍ବନ୍ଧିତ ବିଭାଗର ଅଧିକାରୀ ଓ ବିଶେଷଜ୍ଞ ଏଥିରେ ସଦସ୍ୟ ଭାବେ କାମ କରିବେ ।
ରାଜ୍ୟସ୍ତରୀୟ କମିଟି ଜିଲ୍ଲାସ୍ତରୀୟ କାର୍ଯ୍ୟର ସମୀକ୍ଷା କରିବା ସହ ବିଭିନ୍ନ ଜିଲ୍ଲା ଗସ୍ତ କରି ବ୍ୟବସ୍ଥା ପରଖିବ। ସେହିପରି ୧୪ ଜଣିଆ ଜିଲ୍ଲାସ୍ତରୀୟ ଟିକାକରଣ କମିଟିର ମୁଖ୍ୟ ରହିବେ ସିଡିଏମ୍ଓ ଏବଂ ଏଥିରେ ଜିଲ୍ଲାର ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ସଦସ୍ୟ ସଚିବ ଭାବେ କାମ କରିବେ । ଜିଲ୍ଲା ମୁଖ୍ୟ ହସପିଟାଲରେ କାମ କରୁଥିବା ବିଶେଷଜ୍ଞମାନଙ୍କ ସହ ଜିଲ୍ଲାର ବିଭିନ୍ନ ସହରାଞ୍ଚଳର ନିର୍ବାଚିତ ଲୋକ ପ୍ରତିନିଧି ମଧ୍ୟ ସଦସ୍ୟ ରହିବେ। ଜିଲ୍ଲାରେ ଠିକ୍ ଭାବେ ଯେଭଳି ଟିକାକରଣ ହେବ ସେଥିପ୍ରତି ଦୃଷ୍ଟି ଦେବ ଜିଲ୍ଲାସ୍ତରୀୟ କମିଟି ।