ସନ୍ଷ୍ଟାର ଟିଭି ବ୍ୟୁରୋ
ପୁରୀ: ଆମାଜନରେ ନିର୍ମାଲ୍ୟ ବିକ୍ରୟ ଘଟଣା ସାମ୍ନାକୁ ଆସିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ଆଜି ଏନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ଵାରର ଥାନାରେ ଏତଲା ଦିଆଯାଇଛି । ବିନା ଅନୁମତିରେ ଏଭଳି କାର୍ଯ୍ୟ ହେଉଥିବା ଏବଂ ଏହା ଦ୍ଵାରା ନିର୍ମାଲ୍ୟ ଭଳି ପବିତ୍ର ଜିନିଷର ଅପମାନ ହେଉଛି ବୋଲି ଦର୍ଶାଇଛନ୍ତି ମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସିଂହଦ୍ବାର ଥାନାରେ ଏନେଇ ଲିଖିତ ଅଭିଯୋଗ କରିବା ସହ ଆମାଜନ୍ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିବେଦନ କରିଛନ୍ତି ।
ସୂଚନାଯୋଗ୍ୟ, ଆମାଜନ୍ରେ ‘ନିର୍ମାଲ୍ୟ’ ବିକ୍ରିକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଗତକାଲି ଏହି ଘଟଣାରେ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସିଂହଦ୍ଵାର ଥାନାରେ ଏତଲା ଦେଇଥିଲେ ।
ଆମାଜନ୍ର ଏହି କାର୍ଯ୍ୟ ମହାପ୍ରସାଦ ପ୍ରତି ଅପମାନସୂଚକ ହୋଇଥିବାବେଳେ ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ନିଯୋଗ । ସେ ପଟେ ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘ ଆମାଜନ୍ର ନିର୍ମାଲ୍ୟ ବିକ୍ରିର ପ୍ରତିବାଦ କରିଛି। ସଂଘର ଆବାହକ ଅନିଲ୍ କୁମାର ସାହୁ ଆଜି ଆମାଜନ୍ର ସିଇଓ ଅମିତ ଅଗ୍ରୱାଲ୍ଙ୍କୁ ଓକିଲ ନୋଟିସ୍ (ଚିଠି ନଂ-୫/୨୦୨୦) ପଠାଇଛନ୍ତି । ୨୦ ଦିନ ଭିତରେ ଏହାର ଜବାବ ନ ରଖିଲେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନେବାକୁ ବାଧ୍ୟ ହେବେ ବୋଲି ନୋଟିସ୍ ଯୋଗେ ଜଣାଇଛନ୍ତି ।