ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଭାରତର ସବୁ ଥାନାରେ ସିସିଟିଭି ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଭାରତର ସର୍ବୋଚ୍ଚ ନ୍ୟାୟାଳୟ । କେବଳ ଥାନାରେ ନୁହେଁ ଅନ୍ୟ ତଦନ୍ତକାରୀ ସଂସ୍ଥା ଯଥା- ସିବିଆଇ, ଏନ୍ସିବି, ଏନ୍ଆଇଏ, DRI ଓ ଇଡି ଅଫିସରେ ମଧ୍ୟ ସିସିଟିଭି ଲଗାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସିସିଟିଭି କ୍ୟାମେରା ସହ ଅଡିଓ ରେକର୍ଡିଂ ସିଷ୍ଟମ ଲଗାଯିବା ସହ ସିସିଟିଭିଟିରେ ନାଇଟ ଭିଜନ ସୁବିଧା ମଧ୍ୟ ରହିବ।
ସମସ୍ତ ପୋଲିସ୍ ଷ୍ଟେସନରେ ସିସିଟିଭି କ୍ୟାମେରା ଲଗାଇବାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ସିସିଟିଭି କ୍ୟାମେରା ଗୁଡ଼ିକ ପ୍ରବେଶ ଓ ପ୍ରସ୍ଥାନ ପଥ, ମୁଖ୍ୟ ଗେଟ୍, ଲକ୍ ଅପ୍, କରିଡର୍, ଲକ୍ ଅପ୍ ରୁମ୍ ବାହାରେ, ଲବି, ରିସେପ୍ସନ ଏରିଆ, ସବ୍ ଇନ୍ସେପେକ୍ଟର, ଇନ୍ସେପେକ୍ଟରଙ୍କ କକ୍ଷ, ଓ୍ଵାସରୁମ ବାହାରେ ଇତ୍ୟାଦି ସ୍ଥାନରେ ଲଗାଇବାକୁ ନିର୍ଦ୍ଦେଶ ରହିଛି।
ଏହି ନିର୍ଦ୍ଦେଶକୁ ପାଳନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ସମସ୍ତ ରାଜ୍ୟମାନଙ୍କୁ ୬ ମାସ ସମୟ ଦେଇଛନ୍ତି ଓ କହିଛନ୍ତି ଯେ ଏହା ଦ୍ଵାରା ସାଧାରଣ ଜନତାଙ୍କର ମାନବାଧିକାର ରକ୍ଷା ହୋଇପାରିବ । ତଦନ୍ତକାରୀ ସଂସ୍ଥା ଗୁଡିକ ଅଫିସରେ ପଚରାଉଚରା କରୁଥିବାରୁ ସେଠାରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି
ମାନବାଧିକାର ଉଲ୍ଲଂଘନ ହୋଇଛି କି ନାହିଁ ସେ ନେଇ ନିୟମିତ ବ୍ୟବଧାନରେ ଏକ ନିରପେକ୍ଷ ପ୍ୟାନେଲ ସିସିଟିଭି ଫୁଟେଜ ଓ ଅଡିଓ ରେକର୍ଡିଂ ଆଣି ଯାଞ୍ଚ କରିପାରିବେ। ସେହିପରି ଭିଡିଓ ଏବଂ ଅଡିଓ ରେକଡିଂ ଗୁଡିକ ପ୍ରମାଣ ପାଇଁ ୧୮ ମାସ ରଖାଯିବ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ କ’ଣ ପଦକ୍ଷେପ ନିଆଯାଉଛି ସେ ସମ୍ପର୍କରେ ଜଣାଇବାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।