ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟ ଶୈଳୀ ଉପରେ ଅଙ୍ଗୁଳି ଉଠାଇବା ସହ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ନେଇ ଉଠାଇଛନ୍ତି ଅନେକ ପ୍ରଶ୍ନ । ରାଜ୍ୟ ସରକାରରେ ଅସ୍ଥିରତା ସୃଷ୍ଟି ପାଇଁ ମୋଦୀ କେନ୍ଦ୍ରୀୟ ଏଜେନ୍ସି ଗୁଡ଼ିକୁ ବ୍ୟବହାର କରୁଥିବା ଅଭିଯୋଗ କରିାବ ସହ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ଆସିଥିବା ଅର୍ଥର କାହିଁକି ହିସାବ ଲୋକଙ୍କୁ ଦିଆଯାଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ।
ମଙ୍ଗଳବାର ଦିନ ମମତା କହିଛନ୍ତି ଯେ ସାଧାରଣ ଲୋକ ପିଏମ କେୟାର ଫଣ୍ଡକୁ ଲକ୍ଷ ଲକ୍ଷ କୋଟି ଟଙ୍କା ଦାନ କରିଛନ୍ତି। ଲୋକମାନେ କରୋନା ବିରୋଧରେ ଲଢ଼ିବା ପାଇଁ ଏହି ଟଙ୍କା ଦେଇଥିଲେ । ଯେଉଁଠାରେ ଏତେ ପରିମାଣର ଟଙ୍କା ଦିଆଯାଇଛି, ଏହାକୁ କାହିଁକି ଅଡିଟ୍ କରାଯାଇପାରିବ ନାହିଁ? ଜନସାଧାରଣ ଏହା ବିଷୟରେ ଜାଣିବାର ଅଧିକାର ଅଛି। ମାତ୍ର ପ୍ରଧାନମନ୍ତ୍ରୀ ଏହି ଅର୍ଥ ହିସାବ ଦେବା ପରିବର୍ତ୍ତେ କେବଳ ଭାଷଣ ଦେଉଛନ୍ତି ।
ସେ ପୁଣି କହିଛନ୍ତି ଯେ ବିନା ଯୁଦ୍ଧରେ ବଙ୍ଗଳାର ଲୋକମାନେ ବିଜେପିକୁ ଏକ ଇଞ୍ଚ ମଧ୍ୟ ଦେବେ ନାହିଁ। ବିଜେପି ପାର୍ଟି କାର୍ଯ୍ୟାଳୟ ନ୍ୟୁଜ ଚ୍ୟାନେଲକୁ ହେଡଲାଇନ ଦେଉଛି। ଖବରକାଗଜ ସମ୍ପାଦକମାନଙ୍କୁ ପ୍ରଭାବିତ କରିବାରେ ଲାଗିଛି । ମାତ୍ର ବିଜେପିର ଯୋଜନା ସଫଳ ହେବ ନାହିଁ ଏବଂ ଏଠାରେ ବିଜେପି ମାଟି କାମୁଡ଼ିବ ବୋଲି ମମତା କହିଛନ୍ତି ।