ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ବାତ୍ୟା ଭାରତର ପିଛା ଛାଡୁନାହିଁ । ସାମୁଦ୍ରିକ ଝଡ଼ ‘ନିଭାର’ର ପ୍ରଭାବ ନସରୁଣୁ ପୁଣି ବଙ୍ଗୋପସାଗରେ ସୃଷ୍ଟି ହେଉଛି ଆଉ ଏକ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ବୁରେବି’ । ଡିସେମ୍ବର ୪ ତାରିଖ ଶୁକ୍ରବାର ଦିନ ଏହା ତାମିଲନାଡୁ ଉପକୂଳ ସ୍ଥଳଭାଗରେ ପ୍ରବେଶ କରିପାରେ ବୋଲି ମଙ୍ଗଳବାର ଦିନ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏହି ସାମୁଦ୍ରିକ ଘୂର୍ଣ୍ଣିବାତ୍ୟାର ନାମକରଣ କରିଛି ମାଳଦ୍ୱୀପ। ଡିସେମ୍ବର ୨ ତାରିଖ ସନ୍ଧ୍ୟା କିମ୍ବା ରାତିରେ ଏହି ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ତ୍ରିଙ୍କୋମାଲୀ ପାଖ ଦେଇ ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରାଯାଇଛି। ତ୍ରିଙ୍କୋମାଲୀ ଅତିକ୍ରମ କରିବା ସମୟରେ ଘଣ୍ଟାପ୍ରତି ୯୫ କିଲୋମିଟର ପବନ ସହ ବତାସର ବେଗ ଘଣ୍ଟାପ୍ରତି ୭୫ ରୁ ୮୫ କିଲୋମିଟର ବହିପାରେ। ଏହାପରେ ‘ବୁରେବି’ ପଶ୍ଚିମ ପ୍ରାନ୍ତକୁ ଗତିକରି ଡିସେମ୍ବର ୩ ତାରିଖ ସକାଳେ ମାନ୍ନର ଉପସାଗର ଏବଂ ତତ୍ସଂଲଗ୍ନ କମୋରିନ୍ ଅଞ୍ଚଳରେ ପହଞ୍ଚିବ। ସେଠାରୁ ପଶ୍ଚିମ-ଦକ୍ଷିଣପଶ୍ଚିମ ଆଡ଼କୁ ଗତିକରିବା ପରେ ଡିସେମ୍ବର ୪ ତାରିଖ ପ୍ରତ୍ୟୁଷରେ କନ୍ୟାକୁମାରୀ ଏବଂ ପାମ୍ବନ ମଧ୍ୟ ଦେଇ ତାମିଲନାଡୁ ଉପକୂଳ ଅତିକ୍ରମ କରିବ।
କିନ୍ତୁ, ‘ବୁରେବି’ ‘ନିଭାର’ ଭଳି ଉଗ୍ର ହେବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ବୁରେବି’ ପ୍ରଭାବରେ ତାମିଲନାଡୁର କନ୍ୟାକୁମାରୀ, ତିରୁନେଲବେଲି, ତୁତୁକୁଣ୍ଡି, ତେନକାସି, ରାମନାଥପୁରମ୍ ଏବଂ ଶିବଗଙ୍ଗାଇ ଅଞ୍ଚଳରେ ଡିସେମ୍ବର ୨ ଓ ୩ ତାରିଖରେ ପ୍ରବଳରୁ ପ୍ରବଳତର ବର୍ଷା ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ, କେରଳର ତିରୁବନନ୍ତପୁରମ, କୋଲାମ, ପତନମତିତ୍ତ ଏବଂ ଆଲାପ୍ପୁଜାରେ ଡିସେମ୍ବର ୩ ତାରିଖ ଦିନ ପ୍ରବଳ ବର୍ଷା ହୋଇପାରେ।