ସନ୍ଷ୍ଟାର ଟିଭି ବ୍ୟୁରୋ
ଆଜି ବିଶ୍ଵ ଏଡ୍ସ ନିରାକରଣ ଦିବସ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଏଡ୍ସର କୌଣସି ସ୍ଥାୟୀ ପ୍ରତିକାର ବାହାରି ପାରିନି । ସଚେତନତା ଓ ସଂଯମତାରୁ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇ ପାରିବ । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୨ ହଜାର ଥିବା ବେଳେ ସେଥିରୁ ଅସୁରକ୍ଷିତ ଯୌନ ସମ୍ପର୍କରୁ ୮୮% ଏଚ୍ଆଇଭିରେ ପଡ଼ିଛନ୍ତି । ତେବେ ଚିନ୍ତାର କଥା ହେଉଛି ଆମ ରାଜ୍ୟରେ ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଦାରିଦ୍ର୍ୟ ଶ୍ରେଣୀର ଲୋକେ । ଏଚ୍ଆଇଭି ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ପ୍ରବାସୀ ଓଡ଼ିଆ ଓ ତାଙ୍କ ପରିବାର ରହିଛନ୍ତି । ସଂକ୍ରମିତଙ୍କ ଜୀବନ ଅବଧି ବୃଦ୍ଧି କରିବାକୁ ଏଆର୍ଟିରେ ଔଷଧ ସେବା ରାଜ୍ୟର ୧୫ ଟି ଏଆରଟି ଓ ୧୯ଟି ସଂଯୋଜିତ କେନ୍ଦ୍ରରେ ଯୋଗାଇ ଦିଆଯାଇଛି ।
ଏଚ୍ଆଇଭି ଆକ୍ରାନ୍ତଙ୍କ ସଂଖ୍ୟାରେ ୫୨ହଜାର ୦୬୭ ରହିଛି । ୮୬ ପ୍ରତିଶତ ଆକ୍ରାନ୍ତ ହେଉଛନ୍ତି ଯୁବବର୍ଗ । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ୨୫ରୁ ୪୯ ବର୍ଷ ବୟସର ୭୬% ଆକ୍ରାନ୍ତ ରହିଥିବା ବେଳେ ୧୦% ରହିଛନ୍ତି ୧୫ରୁ ୨୪ ବର୍ଷବୟସର । ୧୪ ବର୍ଷରୁ କମ୍ ବୟସର ମଧ୍ୟ ୭%, ୫୦ ବର୍ଷରୁ ଅଧିକ ବୟସର ୭% ରହିଛନ୍ତି। ଏପଟେ ଆକ୍ରାନ୍ତଙ୍କ ମଧ୍ୟରେ ୩୨ହଜାର ୨୮୬ ଜଣ ପୁରୁଷ ହୋଇଥିବା ବେଳେ ମହିଳା ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧୯ହଜାର ୭୮୧ । ଅସୁରକ୍ଷିତ ଯୌନ ସମ୍ପର୍କ ଛଡା ୧ % ଆକ୍ରାନ୍ତ ରକ୍ତ ଜରିଆରେ ସଂକ୍ରମିତ ହେଉଛନ୍ତି। ସଂକ୍ରମିତ ସିରିଞ୍ଜ ଜରିଆରେ ୧% ପ୍ରତିଶତ ଆକ୍ରାନ୍ତ ହୋଇଛନ୍ତି । ଜିଲ୍ଲା ତାଲିକାରେ ସବୁଠୁ ବେଶି ସଂକ୍ରମିତ ରହିଛନ୍ତି ଗଞ୍ଜାମରୁ । ଜିଲ୍ଲାରେ ଏବେ ବି ସବୁଠୁ ବେଶି ୧୬,୨୧୯ ଜଣ ଆକ୍ରାନ୍ତ ରହିଛନ୍ତି । କଟକରୁ ୬,୯୭୩, ସମ୍ବଲପୁରରୁ ୩୨୩୪, ଖୋର୍ଦ୍ଧାରୁ ୩୦୪୭ ଓ କୋରାପୁଟ୍ରୁ ୨,୬୦୪ ଜଣ ଆକ୍ରାନ୍ତ ଥିବା ଜଣାପଡିଛି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏଡ୍ସ ସଂକ୍ରମଣକୁ କମାଇବା ନିମନ୍ତେ ସରକାରଙ୍କ ପକ୍ଷରୁ ବିଶେଷ ପଦକ୍ଷେପମାନ ନିଆଯାଇଛି ।