ସନ୍ଷ୍ଟାର ଟିଭି ବ୍ୟୁରୋ
ଆଜିଠୁ ଆରମ୍ଭ ହେବ କୋଣାର୍କ ଉତ୍ସବ । ଦୀର୍ଘ ୫ ଦିନ ଧରି ଚନ୍ଦ୍ରଭାଗା ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ଏବଂ ଶାସ୍ତ୍ରୀୟ ନୃତ୍ୟ, ସଂଗୀତ ଉତ୍ସବ ଅନୁଷ୍ଠିତ ହେବ । ପର୍ଯ୍ୟଟନ ବିଭାଗ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଏବଂ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।
ଆଜି ଚନ୍ଦ୍ରଭାଗା ନିକଟରେ ନୂତନ ଚନ୍ଦ୍ରଭାଗା ରେଷ୍ଟୁରାଣ୍ଟ ଉଦ୍ଘାଟିତ ହେବ। ଏ ନେଇ ସୋମବାର ପୂର୍ବାହ୍ନରେ ପର୍ଯ୍ୟଟନ ବିଭାଗ ସଚିବ ବିଶାଲ ଦେବ, ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ, ପର୍ଯ୍ୟଟନ ଉନ୍ନୟନ ନିଗମ ମହାପ୍ରବନ୍ଧକ ପି.କେ. ଚାନ୍ଦ, ଅତିରିକ୍ତ ଜିଲ୍ଲାପାଳ ବିନୟ ଭୂଷଣ ଦାଶ ପ୍ରମୁଖ ଚନ୍ଦ୍ରଭାଗା ବାଲୁକା କଳା ଓ ରଙ୍ଗମଞ୍ଚର ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିମାପଡ଼ା ଏସ୍ଡିପିଓ ପ୍ରଦୀପ ଦଳାଇ, ପର୍ଯ୍ୟଟନ ଅଧିକାରୀ ରତିକାନ୍ତ ପଟ୍ଟନାୟକ, ସରୋଜକାନ୍ତ ପ୍ରଧାନ, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏମ୍. ଶ୍ରୀନିବାସ ଉପସ୍ଥିତ ଥିଲେ।
କୋଣାର୍କ ଉତ୍ସବ ଅବସରରେ ରଙ୍ଗମଞ୍ଚରେ ପ୍ରତି ସଂଧ୍ୟା ୬ଟାରୁ ରାତି ସାଢ଼େ ୮ଟା ପର୍ଯ୍ୟନ୍ତ ଓଡ଼ିଶୀ, ମଣିପୁରୀ, କୁଚିପୁଡ଼ି, ଭାରତନାଟ୍ୟମ, ମୋହିନୀଆଟ୍ଟମ ଓ କଥକ ନୃତ୍ୟ ପରିବେଷିତ ହେବ । ଚନ୍ଦ୍ରଭାଗା ବେଳାଭୂମିରେ ସକାଳ ୯ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବାଲୁକା କଳା ପ୍ରଦର୍ଶନୀ ଖୋଲା ରହିବ । ବେଳାଭୂମିରେ ୨୫ଟି ଷ୍ଟଲ୍ରେ ବିଭିନ୍ନ ରାଜ୍ୟରୁ ୭୪ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ ।
ପ୍ରବେଶ ପଥରେ ବିନା ମାସ୍କରେ କାହାରିକୁ ଛଡ଼ାଯିବ ନାହିଁ ବୋଲି କହିଛନ୍ତି ପର୍ଯ୍ୟଟନ ସଚିବ ବିଶାଲ ଦେବ। ଏଥର କୋଭିଡ ନିୟମ ଅନୁଯାୟୀ କୋଣାର୍କ ଉତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଆୟୋଜିତ ହେଉଛି। ବିଶେଷକରି ମାସ୍କ ଓ ସାମାଜିକ ଦୂରତା ରକ୍ଷା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରୁଛୁ ବୋଲି ଜିଲ୍ଲାପାଳ ଶ୍ରୀ ସିଂ କହିଛନ୍ତି ।