ସନ୍ଷ୍ଟାର ଟିଭି ବ୍ୟୁରୋ
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ହିନ୍ଦୁ ଧର୍ମରେ କାର୍ତ୍ତିକ ମାସକୁ ସବୁଠାରୁ ପୁଣ୍ୟର ମାସ ଭାବେ ଗଣାଯାଏ । ଏହି ମାସରେ କରାଯାଇଥିବା ପୂଣ୍ୟର ଫଳ ଦୁଇ ଗୁଣିତ ହୋଇଥାଏ । ତେଣୁ କାର୍ତ୍ତିକ ମାସରେ ଆଧ୍ୟାତ୍ମିକ ଓ ଶାରୀରିକ ଶକ୍ତିର ବୃଦ୍ଧି ନିମନ୍ତେ ଲକ୍ଷ ଲକ୍ଷ ଭକ୍ତ ନିଜକୁ ଧାର୍ମିକ ଚେତନା ଓ ଧାର୍ମିକ ବାତାବରଣରେ ନିଜକୁ ଲିପ୍ତ ରଖିଥାନ୍ତି । କାରଣ କାର୍ତ୍ତିକ ପୂର୍ଣ୍ଣିମାରେ ଭଗବାନ ବିଷ୍ଣୁ ଓ ଶଙ୍କରଙ୍କୁ ଏବଂ କାର୍ତ୍ତିକଙ୍କୁ ଆରାଧନା କରାଯାଏ । କାହିଁ କେଉଁ କାଳରୁ ଲୋକେ ପଞ୍ଚୁକର ସେଷ ଦିନ କାର୍ତ୍ତିକ ପୂର୍ଣ୍ଣିମାରେ ଭଗବାନଙ୍କ ପୂଜାର୍ଚ୍ଚନା କରି ସୂର୍ଯ୍ୟୋଦୟ ପୂର୍ବରୁ ଡଙ୍ଗା ଭସାଇ ଥାନ୍ତି । ‘ଆ କା ମା ବୈ… ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର…’ ଏହାକୁ ପ୍ରାଚୀନ ଉତ୍କଳର ସମୃଦ୍ଧ ନୈବାଣିଜ୍ୟ ସହିତ ଯୋଡ଼ି ଅନେକେ ଅର୍ଥ କରିଥାଆନ୍ତି- ପ୍ରକୃତରେ ‘ଆ-କା-ମା-ବୈ’ କୁହାଯାଏ । ଏହା ପାରମ୍ପରିକ ଭାବରେ ସ୍ୱୀକୃତ ଚାରି ଧର୍ମମାସର ସୂଚନା। ‘ଆ’ ହେଉଛି ଆଷାଢ଼, ‘କା’ ହେଉଛି କାର୍ତ୍ତିକ, ‘ମା’ ହେଉଛି ମାଘ ଓ ‘ବୈ’ ହେଉଛି ବୈଶାଖ। ଏହି ଚାରିମାସ ହିନ୍ଦୁଙ୍କର ପୁଣ୍ୟମାସ। ଏହି ଚାରିମାସରେ ବ୍ରତ କରି, ମାସ ଶେଷର ପୂର୍ଣ୍ଣମୀରେ ଦାନ ଆଦି କଲେ ପରମ ପୁଣ୍ୟ ମିଳେ।
ଏହାକୁ ‘ଆ-କା-ମା-ଭୈ’ ମଧ୍ୟ କୁହାଯାଏ । ‘ଆ-କା’ର ଅର୍ଥ ଆଷାଢ଼ ଓ କାର୍ତ୍ତିକ ଏବଂ ‘ମା ଭୈ’ର ଅର୍ଥ ଭୟ କରନାହିଁ। ପୂର୍ବେ ଉତ୍କଳର ସାଧବ ପୁଅମାନେ ଦରିଆପାରି ରାଇଜରେ ବେପାର କରୁଥିଲେ। ଯିବାପାଇଁ କାର୍ତ୍ତିକ ଏବଂ ଫେରିବାପାଇଁ ଆଷାଢ଼ ଥିଲା ନିରାପଦ ମାସ; କାରଣ, ଏହି ସମୟରେ ସାମୁଦ୍ରିକ ଝଡ଼ର ଭୟ ନଥାଏ। ସେଥିପାଇଁ କାର୍ତ୍ତିକ ପୂର୍ଣ୍ଣମୀରେ ଡଙ୍ଗା ଭସାଇବାବେଳେ ‘ଆ-କା-ମା-ଭୈ’ ବୋଲାଯାଏ।
ଆମର ଧାର୍ମିକ ପରମ୍ପରାରେ ‘କା-ମା-ବୈ’ ଅର୍ଥାତ୍ କାର୍ତ୍ତିକ, ମାଘ ଓ ବୈଶାଖରେ ହବିଷ୍ୟ ପାଳନର ବ୍ୟବସ୍ଥା ଅଛି। ଏହି ତିନି ମାସକୁ ନେଇ ‘ମାହାତ୍ମ୍ୟ’ ମାନ ମଧ୍ୟ ରଚିତ ହୋଇଛି। କିନ୍ତୁ ‘ଆ’ ଅର୍ଥାତ୍ ଆଷାଢ଼ ମାସରେ ହବିଷ୍ୟ ପାଳନର ବିଧାନ ଆମ ପରଂପରାରେ ନଥିଲେ ମଧ୍ୟ, ଶ୍ରୀଜଗନ୍ନାଥଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଦୃଷ୍ଟିରୁ ଏହାକୁ ପବିତ୍ର ମାସ ରୂପେ ଗ୍ରହଣ କରାଯାଇଥାଏ।
‘ଆ-କା-ମା-ବୈ’ର ଏହି ଧାର୍ମିକ ପରଂପରା କେବଳ ଯେ ଆମ ଓଡ଼ିଶାରେ ଅଛି, ତାହା ନୁହେଁ। ‘ମତ୍ସ୍ୟପୁରାଣ’ରେ ଏହାର ଉଲ୍ଲେଖ ମିଳେ। ବିଷୁବ ସଂକ୍ରାନ୍ତିରେ ଦାନ କଲେ, ଏହି ଧର୍ମ ମାସଗୁଡ଼ିକର ପୁଣ୍ୟ ଫଳ ମିଳେ ବୋଲି ସେଥିରେ କୁହାଯାଇଛି।
ଏଣୁ କାର୍ତ୍ତିକ ପୂର୍ଣ୍ଣମୀର ଡଙ୍ଗାଭସା ବେଳର ଏହି ଲୋକଗୀତର ସଂକେତ ଅତି ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଆମକୁ ଆମର ଧାର୍ମିକ ପରମ୍ପରା ସହିତ ହିଁ ଯୋଡ଼ିଥାଏ।
ଏକ କଥା ଅନୁସାରେ, ତ୍ରିପୁରାସୁର ନାମକ ରାକ୍ଷସ ୩ ଲୋକରେ ଆତଙ୍କ ଖେଳାଇଥିଲା। ଧୀରେ ଧୀରେ ସେ ସ୍ୱର୍ଗ ଲୋକରେ ମଧ୍ୟ ନିଜ ଅଧିକାର ବିସ୍ତାର କଲା। ତ୍ରିପୁରାସୁର ପ୍ରୟାଗରେ ବହୁତ ଦିନ ଯାଏଁ ତପସ୍ୟା କଲା। ତା ତପସ୍ୟା ତେଜରେ ତିନି ଲୋକ ଜଳିବାକୁ ଲାଗିଲା। ଏହାପରେ ବ୍ରହ୍ମା ତା ସମ୍ମୁଖରେ ପ୍ରକଟ ହେଲେ ଓ ବରଦାନ ମାଗିବାକୁ କହିଲେ। ତ୍ରିପୁରାସୁର ବରଦାନ ମାଗିଲା ଯେ ତାଙ୍କୁ ଦେବତା, ସ୍ତ୍ରୀ, ପୁରୁଷ, ଜୀବଜନ୍ତୁ, ପାଖି, ନିଶାଚର କେହି ବି ମାରିନପାରନ୍ତୁ। ଏହି ବରଦାନ ମିଳିବା ପରେ ତ୍ରିପୁରାସୁର ଅମର ହୋଇଗଲେ ଏବଂ ଦେବତାଙ୍କ ମଧ୍ୟରେ ଅତ୍ୟାଚାର କରିବାକୁ ଲାଗିଲା। ଫଳରେ ଦେବତାମାନେ ବ୍ରହ୍ମାଙ୍କ ପାଖକୁ ଯାଇ ତ୍ରିପୁରାସୁରର ଅନ୍ତ କରିବାକୁ ଉପାୟ ପଚାରିଲେ। ବ୍ରହ୍ମା ତ୍ରିପୁରାସୁରର ଅନ୍ତ କରିବାକୁ ଉପାୟ ବତାଇଲେ। ଏହାପରେ ସବୁ ଦେବତା ଭଗବାନ ଶିବଙ୍କ ପାଖକୁ ଯାଇ ତ୍ରିପୁରାସୁରର ବଧ କରିବାକୁ ପ୍ରାର୍ଥନା କଲେ। ତେବେ ଯାଇ ମହାଦେବ ତ୍ରିପୁରାସୁରର ବଧ କଲେ। ସେଥିପାଇଁ ଅନେକ ସ୍ଥାନରେ କାର୍ତ୍ତିକ ପୂର୍ଣ୍ଣିମାକୁ ତ୍ରିପୁରୀ ପୂର୍ଣ୍ଣିମା ମଧ୍ୟ କୁହାଯାଏ।
ରାଜ୍ୟରେ ଡଙ୍ଗା ଭସା ଏବଂ ମନ୍ଦିର ଦର୍ଶନକୁ ନେଇ କଟକଣା ଜାରି ହୋଇଥିବାରୁ ଏବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଭଙ୍କମାନଙ୍କ ପାଇଁ ଫିକା ପଡ଼ିଯାଇଛି ।