ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ନୂଆ ନିୟମାବଳୀ ପ୍ରସ୍ତୁତ କରାଯାଇଛି । ଏହି ନିୟମ ଅନୁସାରେ ଟ୍ୟାକ୍ସି ଏଗ୍ରିଗେଟର ସେବା ପ୍ରଦାନ କରୁଥିବା କମ୍ପାନି ଓଲା ଓ ଉବର ଭଳି କମ୍ପାନି ମୋଟ ଭଡ଼ାର ୨୦ ପ୍ରତିଶତ ଅର୍ଥ ନେଇପାରିବେ। ଭଡ଼ାର ଅବଶିଷ୍ଟ ୮୦ ପ୍ରତିଶତ ଅର୍ଥ ଡ୍ରାଇଭରଙ୍କୁ ପ୍ରଦାନ କରାଯିବ । ପୂର୍ବରୁ କମ୍ପାନି ଗୁଡ଼ିକ ପାଇଁ ଏହି ସୀମା ୧୦ ପ୍ରତିଶତରେ ଧାର୍ଯ୍ୟ କରାଯିବ ବୋଲି ଚର୍ଚ୍ଚା ହେଉଥିଲା । ଏହାକୁ ନେଇ କମ୍ପାନି ଗୁଡ଼ିକ ଚିନ୍ତିତ ଥିଲେ। ଏତେ କମ୍ ମୂଲ୍ୟରେ ଉକ୍ତ ସେବା ଯୋଗାଇବା ସମ୍ଭବପର ହେବ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଉଥିଲେ। କିନ୍ତୁ ଏବେ ଏହି ସୀମାକୁ ୨୦ ପ୍ରତିଶତରେ ଧାର୍ଯ୍ୟ କରାଯାଇଥିବାରୁ ଓଲା, ଉବର ଭଳି କମ୍ପାନି ଗୁଡ଼ିକର ରାଜସ୍ଵ ସେତେଟା ପ୍ରଭାବିତ ହେବ ନାହିଁ ।
-ଏହାଛଡା ଗାଡି ବୁକିଙ୍ଗ ପାଇଁ ଚାହିଦା ସର୍ବାଧିକ ଥିବା ସମୟରେ କମ୍ପାନୀ ଗୁଡିକ ଗ୍ରାହକ ମାନଙ୍କ ଠାରୁ ଦେଢ ଗୁଣା ଅଧିକ ଭଡା ନେଇ ପାରିବେ ।
-ଏଥି ସହିତ କମ୍ପାନୀ ପକ୍ଷରୁ ଡ୍ରାଇଭର ମାନଙ୍କୁ ବୀମା ସୁବିଧା ପ୍ରଦାନ କରିବାକୁ ପଡିବ ।
-ସେହିଭଳି ଡ୍ରାଇଭର ମାନଙ୍କୁ ୧୨ ଘଣ୍ଟାରୁ ଅଧିକ ସମୟ ଗାଡି ଚଲାଇବାକୁ କମ୍ପାନୀମାନେ ବାଧ୍ୟ କରିପରିବେ ନାହିଁ ।
-ଯଦି କୌଣସି ଗ୍ରାହକ ଭଡା ବାତିଲ କରିବାକୁ ଚାହିଁବେ ତେବେ ବାତିଲ ଶୁକ୍ଳ ମୋଟ ଭଡାର ୧୦ ପ୍ରତିଶତ ହେବ ମାତ୍ର ୧୦୦ ଟଙ୍କାରୁ ଅଧିକ ହେବ ନାହିଁ ।
-ଆପ୍ର ତଥ୍ୟ ସାଇତି କରି ରଖାଯାଉଥିବା ସର୍ଭର୍ଟି ଯେଭଳି ଭାରତରେ ରହିବ ତାହାକୁ ଏଗ୍ରିଗେଟର ସଂସ୍ଥା ନିଶ୍ଚିତ କରିବ ।ସାଇତା ତଥ୍ୟ ସର୍ବନିମ୍ନ ୩ରୁ ୨୪ ମାସ ପାଇଁ ସଂରକ୍ଷଣ ରଖାଯିବ ।
-ଗ୍ରାହକଙ୍କ ଲିଖିତ ଅନୁମତି ବିନା ତାଙ୍କର କୌଣସି ତଥ୍ୟ ପ୍ରଘଟ କରାଯାଇପାରିବ ନାହିଁ ।