ସନ୍ଷ୍ଟାର ଟିଭି ବ୍ୟୁରୋ
ବର୍ଷର ୧୨ ମାସ ମଧ୍ୟରେ କାର୍ତ୍ତିକ ମାସକୁ ସବୁଠୁ ପୂର୍ଣ୍ଣ୍ୟ ମାସ ରୂପେ ବିବେଚନା କରାଯାଏ । କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନରେ ପଞ୍ଚୁକ ପଡିଥାଏ । ଯେଉଁ ବର୍ଷ ପଞ୍ଚୁକ ଛଅ ଦିନ ପଡେ, ସେ ବର୍ଷ ଦ୍ଵାଦଶୀ ମଳ ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନାଗାର୍ଜୁନ ବେଶରେ ସୁସଜ୍ଜିତ କରାଯାଏ । ଏହି ବେଶକୁ ପର୍ଶୁରାମ ବେଶ ମଧ୍ୟ କୁହାଯାଏ I ଦୀର୍ଘ ୨୫ ବର୍ଷ ପରେ ଏହି ବିରଳ ସଂଯୋଗ ଘଟିଛି । ଆସନ୍ତା କାଲି ପୁଣି ଥରେ ଶ୍ରୀଜଗନ୍ନାଥ ଏହି ରୂପରେ ଦର୍ଶନ ଦେବାକୁ ଯାଉଛନ୍ତି ।
ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ଶ୍ରୀକ୍ଷେତ୍ର ଲୋକ ସଂସ୍କୃତିର ଏକ ପ୍ରତିଛବି ବୋଲି ଜଣାଯାଏ । ପୌରାଣିକ କଥାବସ୍ତୁ ଅନୁଯାୟୀ,ପର୍ଶୁରାମଙ୍କ ସହସ୍ରାର୍ଜ୍ଜୁନ ବଧ କିମ୍ବା ଅର୍ଜୁନ ଓ ତାଙ୍କ ପୁତ୍ର ନାଗାର୍ଜୁନ ମଧ୍ୟରେ ହୋଇଥିବା ଯୁଦ୍ଧର ସ୍ମୃତି ସ୍ୱରୂପ ଏହି ବେଶ ଅନୁଷ୍ଠିତ ହୁଏ । ଏହି ବେଶରେ ଶଙ୍ଖ, ଚକ୍ର, ହଳ, ମୂଷଳ, ରଞକଧାନୀ, ଛୁରୀ,କଟୁରୀ,ବାଘଛାଲ,ସ୍ୱର୍ଣ୍ଣଶ୍ରୀଭୂଜ, ଶ୍ରୀପୟର,ବାଘନଖ ଆଦି ୧୬ ପ୍ରକାର ହତିଆର ଧାରଣ କରି ବୀର ରୂପରେ ଶୋଭା ପାଆନ୍ତି ତିନି ଠାକୁର । ଏହି ବେଶଟି ଯୋଦ୍ଧା ଓ ସନ୍ୟାସୀ ବେଶର ସମ୍ମିଶ୍ରଣ ଅଟେ ।
ଏବର୍ଷ ନାଗାର୍ଜୁନ ବେଶ ପାଇଁ ନୀତିକ୍ରାନ୍ତିର ସମୟ
ରାତି ୨ଟାରେ ଦ୍ଵାର ଫିଟା
୨ଟା ୨୦ ରେ ମଙ୍ଗଳ ଆଳତି
୩ଟା ୩୦ରେ ତଡପ ଲାଗି
୩ଟା୫୦ ରେ ଅବକାଶ
ଭୋର ୪ ଟାରେ ନାଗାର୍ଜୁନ ବେଶ ଆରମ୍ଭ
ପୂର୍ବରୁ ଏହି ବେଶରେ ତିନିଠାକୁରଙ୍କୁ ୨୬ ନଭେମ୍ବର ୧୯୬୬, ୧୬ ନଭେମ୍ବର ୧୯୬୭, ୩ ନଭେମ୍ବର ୧୯୬୮,୨୬ ନଭେମ୍ବର ୧୯୯୩, ୨୬ ନଭେମ୍ବର ୧୯୯୪ ଭକ୍ତମାନେ ଦେଖିବାକୁ ପାଇଥିଲେ । କିନ୍ତୁ ଚଳିତ ବର୍ଷ କରୋନା କଟକଣା ପାଇଁ ଭଗବାନଙ୍କ ଏହି ବେଶକୁ ଦର୍ଶନ କରିବାରୁ ଭକ୍ତମାନେ ବଞ୍ଚିତ ରହିବେ ।