ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆଗାମୀ ତିନି ଘଣ୍ଟା ମଧ୍ୟରେ ସାମୁଦ୍ରିକ ବାତ୍ୟା ‘ନିଭାର’ ଅଧିକ ଦୁର୍ବଳ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହେବ ବୋଲି ଗୁରୁବାର ସକାଳେ ଭାରତୀୟ ପାଣିପାଗ ସଂସ୍ଥାନ ଘୋଷଣା କରିଛି।
ଗୁରୁବାର ପ୍ରାରମ୍ଭରେ ପୁଡୁଚେରୀ ନିକଟରେ ସାମୁଦ୍ରିକ ବାତ୍ୟା ‘ନିଭାର୍’ ସ୍ଥଳଭାଗରେ ପ୍ରବେଶ କରିଛି। ସ୍ଥଳଭାଗରେ ପ୍ରବେଶ କରିବା ପରେ ଉଭୟ ପୁଡୁଚେରୀ ଏବଂ ତାମିଲନାଡୁରେ ଅସରାକୁ ଅସରା ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି। କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ଉପର ଦେଇ ପ୍ରବାହିତ ହୋଇଯିବା ପରେ ‘ନିଭାର୍’ ଅତି ଉଗ୍ର ସାମୁଦ୍ରିକ ବାତ୍ୟାରୁ ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଥିବା କଥା ଭାରତୀୟ ପାଣିପାଗ ସଂସ୍ଥାନ କହିଛି।
‘ନିଭାର’ ଚେନ୍ନାଇରେ ମଧ୍ୟ ଆଜି ସକାଳେ ସ୍ଥଳ ଭାଗ ଛୁଇଁବା ପରେ ଏଠାରେ ପରିବହନ ସେବା ପ୍ରଭାବିତ ହୋଇଥିବା ବେଳେ ମେଟ୍ରୋକୁ ମଧ୍ୟ ବାତିଲ କରାଯାଇଛି । ଗୁରୁବାର ଦିନ ଚେନ୍ନାଇ ଅନ୍ତର୍ଜାତୀୟ ବିମାନ ବନ୍ଦର ଟୁଇଟ୍ କରି କହିଛି ଯେ, ସାମୁଦ୍ରିକ ବାତ୍ୟା ‘ନିଭାର’ ଯୋଗୁଁ ଗୁରୁବାର ସକାଳ ୯ଟା ପର୍ଯ୍ୟନ୍ତ ସେବା ବନ୍ଦ ରହିବ।
ସୂଚନା ଥାଉକି, ପୁଡୁଚେରୀରେ ସରକାର ନଭେମ୍ବର ୨୬ପର୍ଯ୍ୟନ୍ତ ୧୪୪ଧାରା ଜାରି କରିଛନ୍ତି। ମଙ୍ଗଳବାର ରାତି ୯ଟାରୁ ନଭେମ୍ବର ୨୬ର ସକାଳ ୬ଟା ପର୍ଯ୍ୟନ୍ତ ଏହା ଜାରି ରହିବ। ଏହି ସମୟରେ ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ। କେବଳ କ୍ଷୀର ଦୋକାନ, ପେଟ୍ରୋଲ୍ ପମ୍ପ ଓ ଔଷଧ ଦୋକାନଗୁଡିକୁ ଖୋଲିବା ପାଇଁ ଅନୁମତି ଦିଆଯାଇଛି। ତାମିଲନାଡ଼ୁ ଓ ପୁଡୁଚେରୀରେ ବାତ୍ୟା ମୁକାବିଲା ପାଇଁ ୩୦ଟି ଏନଡିଆରଏଫ ଟିମ୍ ନିୟୋଜିତ କରାଯାଇଛି। ହେଲ୍ପ ଲାଇନ ନମ୍ଵର ଜାରି କରାଯାଇଛି । ଲୋକମାନଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ତାମିଲନାଡୁରେ ପ୍ରାୟ ୨୪ ହଜାର ଲୋକଙ୍କୁ ସୁତକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାସରିଲାଣି ।ବିପଦକୁ ସାମ୍ନା କରିବାକୁ ୪୬୫ଟି ଆମ୍ଵୁଲାନ୍ସ ନିୟୋଜିତ କରିଛି ତାମିଲନୀଡୁ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇଡାପାଡି ପଲାମୀସ୍ୱାମୀ ଓ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ନାରାୟଣ ସ୍ବାମୀଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବାର୍ତ୍ତାଳାପ ହୋଇଛି। ଘୂର୍ଣ୍ଣିବାତ୍ୟାର ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଛନ୍ତି।
ଏହାର ପ୍ରଭାବରେ ଓଡିଶାରେ କିଛି ଅଞ୍ଚଳରେ ମେଘୁଆ ପାଗ ଦେଖାଯାଇଛି ।