ସନ୍ଷ୍ଟାର ଟିଭି ବ୍ୟୁରୋ
ପାକିସ୍ଥାନ ଆତଙ୍କବାଦୀଙ୍କ ଦ୍ଵାରା ମୁମ୍ବାଇରେ ହୋଇଥିବା ଆକ୍ରମଣ ଘଟଣାକୁ ଆଜି ୧୨ ବର୍ଷ ପୁରିଛି । ୧୨ବର୍ଷ ପୂର୍ବେ ଆଜିର ଦିନରେ ପାକିସ୍ତାନସ୍ଥିତ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା ର ୧୦ଜଣ ଆତଙ୍କବାଦୀ ସମୁଦ୍ରପଥ ଦେଇ ମୁମ୍ବାଇ ଉପରେ ରଚିଥିଲେ ମୃତ୍ୟୁର ତାଣ୍ଡବ । ଯାହା ପୁରା ବିଶ୍ବକୁ ଦୋହଲାଇ ଦେଇଥିଲା । ଆତଙ୍କବାଦୀମାନେ ପାକିସ୍ତାନ କରାଚି ବନ୍ଦରରୁ ସମୁଦ୍ର ପଥରେ ଆସି ମୁମ୍ବାଇ ସହରରେ ପ୍ରବେଶ କରିବା ପରେ ଆତଙ୍କବାଦୀ ସିରିଜ ବୋମା ବିସ୍ଫୋରଣ ବ୍ୟତୀତ ଅନେକ ସ୍ଥାନରେ ନିର୍ଦ୍ଦିଷ୍ଟ ଭାବରେ ଗୁଳି ଚଳାଇଥିଲେ । ଯେଉଁଥିରେ ମୋଟ ୨୨୦ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୭୪ ଜଣ ସାଧାରଣ ଲୋକ ଥିବା ବେଳେ ୨୦ ଜଣ ସୁରକ୍ଷାକର୍ମୀଙ୍କ ସହ ୨୬ ଜଣ ବିଦେଶୀ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା ।
ଆତଙ୍କବାଦୀମାନେ ସହରର ବିଭିନ୍ନ ସ୍ଥାନ ଯଥା ଛତ୍ରପତି ଶିବାଜୀ ଟର୍ମିନାଲ, ଚବାଡ ହାଉସ, ନରିମାନ ହାଉସ, ହୋଟେଲ ତାଜ, ହୋଟେଲ ଓବରୋଇ ଉପରେ ଆକ୍ରମଣ କରିଥିଲେ। ୪ ଦିନ ଧରି ଏହି ଆକ୍ରମଣ ଚାଲିଥିଲା । ଏହି ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀ କସାବଙ୍କୁ ଫାଶୀ ମଧ୍ୟ ଦିଆଯାଇଥିଲା । ଏହି ଆକ୍ରମଣ ପଛରେ ପାକିସ୍ତାନ ସରକାର ଓ ସେନାର ହାତ ରହିଥିବା ନେଇ ଭାରତ ସମେତ ସାରା ବିଶ୍ବ ଅଭିଯୋଗ କରିଆସିଛନ୍ତି। ଏହି ଆକ୍ରମଣରେ ପାକିସ୍ତାନର ସମ୍ପୃକ୍ତି ଥିବା ନେଇ ନିଜ ଦେଶର ଜଣେ ସାଂସଦ ମଧ୍ୟ ସ୍ବୀକାର କରିଥିଲେ। ଆକ୍ରମଣରେ ୧୨ବର୍ଷ ପୂର୍ତ୍ତି ଅବସରରେ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ସହିଦ ଯବାନ ଓ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ବ୍ୟବସ୍ଥା କରାଯାଇଛି।