ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: କରୋନା ମହାମାରୀ ସମୟରେ ଦଶମ ଓ ଦ୍ବାଦଶ ପରୀକ୍ଷାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ କରୋନା ମହାମାରୀ ଦାଉରୁ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ତଥା ନିରାପତ୍ତା ଦେବା ପାଇଁ ଓଡ଼ିଶାରେ ମାର୍ଚ୍ଚ ୧୭ରୁ ସ୍କୁଲ ଓ କଲେଜଗୁଡ଼ିକୁ ବନ୍ଦ ରଖାଯାଇଥିବା ବେଳେ କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ଡିସେମ୍ବର ୩୧ ପର୍ଯ୍ୟନ୍ତ ଓଡ଼ିଶାରେ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରଖାଯାଇଛି। ଅନଲାଇନ ପାଠ ପଢ଼ାଇବାର ଅଧିକରୁ ଅଧିକ ଚେଷ୍ଚା କରାହେଉଥିଲେ ମଧ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ପଢ଼ାଇ ବୋର୍ଡ ପରୀକ୍ଷା ତଥା ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରିକ୍ଷା ପାଇଁ ପ୍ରସ୍ତୁତ କରିବା ସମ୍ଭବ ନୁହେଁ। ତେଣୁ ୨୦୨୦-୨୦୨୧ ବୋର୍ଡ ଓ ଏଚଏସଇ ପରୀକ୍ଷା ନେଇ କେନ୍ଦ୍ର ସ୍ପଷ୍ଟ କରନ୍ତୁ ବୋଲି ଚିଠିରେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ।
ସେ ଆଉ ମଧ୍ୟ ଉଲ୍ଲେଖ କରିଛନ୍ତି, ଦଶମ ଓ ଦ୍ବାଦଶ ପରୀକ୍ଷା ନେଇ ସରକାର କିଛି ସ୍ପଷ୍ଟ କରୁନଥିବାରୁ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ ଦ୍ବନ୍ଦ୍ବରେ ରହିଛନ୍ତି। ସବୁ ଉଚ୍ଚ ଶିକ୍ଷା ଏହି ପରୀକ୍ଷା ସହ ଜଡ଼ିତ ଥିବାରୁ ଏ ନେଇ ଜାତୀୟ ଗାଇଡଲାଇନର ଆବଶ୍ୟକତା ରହିଛି, ଯାହା ରାଜ୍ୟକୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବାକୁ ସାହାଯ୍ୟ କରିବ। ଏହା ସହ ପରୀକ୍ଷା ତାରିଖ ଆସିଲେ ସେହି ଅନୁସାରେ ପ୍ରସ୍ତୁତ ହେବା ପାଇଁ ଅପେକ୍ଷା କରିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏହା ସାହାଯ୍ୟ କରିବ। ତେଣୁ ମୁଁ କେନ୍ଦ୍ର ସରକାରଙ୍କୁ ନିବେଦନ କରୁଛି ଯେ, ୨୦୨୦-୨୦୨୧ ବୋର୍ଡ ଓ ଏଚଏସଇ ପରୀକ୍ଷା କରିବା ନେଇ ସ୍ପଷ୍ଟ କରନ୍ତୁ।