ସନ୍ଷ୍ଟାର ଟିଭି ବ୍ୟୁରୋ
ବର୍ତ୍ତମାନ କରୋନା ସଂକ୍ରମଣ ଯେଉଁଭଳି ଭାବରେ ବୃଦ୍ଧି ପାଇବାରେ ଲାଗିଛି ଏଭଳି ସ୍ଥଳେ ସାରା ବିଶ୍ଵ କୋଭିଡ୍ ଟିକାକୁ ଚାହିଁ ରହିଛି। ତେବେ ଭାରତ ପାଇଁ ଆସିଛି ଏକ ଭଲ ଖବର । ଅକ୍ସଫୋର୍ଡ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଥିବାବେଳେ ଏହା କରୋନା ରୋକିବାରେ ୯୦ପ୍ରତିଶତ ସଫଳ ହୋଇଥିବା ଦାବି କରିଛନ୍ତି ଟିକା ନିର୍ମାତା କମ୍ପାନୀ । ଏଥିସହ ଏହି ଟିକାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ମଧ୍ୟ ନଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ଏହି ଟିକା ପ୍ରସ୍ତୁତିରେ ଭାରତର ସିରମ ଇନଷ୍ଟିଚ୍ୟୁଟ ବଡ ଭାଗିଦାରୀ ଥିବାରୁ ଏହା ଭାରତ ପାଇଁ ଅଧିକ ଲାଭ ଦାୟକ ହେବ ବୋଲି କୁହାଯାଉଛି ।
କରୋନା ଟୀକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଥିବା ବେଳେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଘୋଷଣା କରିଛି, ଯେ ସେମାନେ ବିକଶିତ କରୁଥିବା ଟିକା ୯୦ ପ୍ରତିଶତ ପର୍ଯ୍ୟନ୍ତ ଫଳପ୍ରଦ ହୋଇପାରେ । କେବଳ ସେତିକି ନୁହେଁ, ଏହି ଟିକାର କୌଣସି ବଡ଼ ଧରଣର ପାର୍ଶ୍ଵ-ପ୍ରତିକ୍ରିୟା ପରିଲଖିତ ହୋଇନାହିଁ ବୋଲି କୁହାଯାଇଛି । ୨୦ ହଜାରରୁ ଅଧିକ ସ୍ୱେଚ୍ଛାସେବୀଙ୍କ ଦେହରେ ପରୀକ୍ଷଣ ହେବା ପରେ ଏପରି ସନ୍ତୋଷଜନକ ଫଳାଫଳ ସାମନାକୁ ଆସିଛି ।
ପ୍ରଥମ ପଦ୍ଧତି ପରୀକ୍ଷଣରେ ମାସକ ମଧ୍ୟରେ ଦୁଇଟି ସଂପୂର୍ଣ୍ଣ ଡୋଜ୍ ଦୁଇ ଥରରେ ଦିଆଯାଇଥିଲା ବେଳେ ଟିକାର ସଫଳତା ହାର ରହିଛି ୬୨ ପ୍ରତିଶତ । ତେବେ ଦ୍ୱିତୀୟ ପଦ୍ଧତି ପରୀକ୍ଷଣରେ ପ୍ରଥମେ ଦିଆଯାଇଥିଲା ଟିକାର ଅଧା ଡୋଜ୍, ମାସକ ମଧ୍ୟରେ ଦ୍ୱିତୀୟ ଥର ଦିଆଯାଇଥିଲା ଟିକାର ସଂପୂର୍ଣ୍ଣ ଡୋଜ୍ ଯାହା ୯୦ ପ୍ରତିଶତ ପର୍ଯ୍ୟନ୍ତ ଫଳପ୍ରଦ ହୋଇଥିଲା ବୋଲି ସୂଚନା ମିଳିଛି ।
ଯଦିଓ ଫାଇଜର ଓ ମଡର୍ଣ୍ଣା, ସେମାନଙ୍କ ଟିକା ଅଧିକ ଫଳପ୍ରଦ ବୋଲି ଦାବି କରିଛନ୍ତି, ତେବେ ଟିକା ୭୦ ପ୍ରତିଶତ ଫଳପ୍ରଦ ହେଲେ, ଏହା କରୋନା ସଂକ୍ରମଣକୁ ରୋକିବାରେ ସମର୍ଥ ହେବ ବୋଲି କହିଛନ୍ତି ବିଶେଷଜ୍ଞ । ଅକ୍ସଫୋର୍ଡ ଟିକାର ସଫଳତା, ଭାରତ ପାଇଁ ସବୁଠୁ ଅଧିକ ଆଶ୍ୱସ୍ତିକର ଖବର । କାରଣ କୋଭିସିଲ୍ଡ ନାଁରେ ଏହି ଟିକାକୁ ବିକଶିତ କରୁଛି ଭାରତର ସିରମ୍ ଇନଷ୍ଟିଚ୍ୟୁଟ୍ । ଟିକାର ସଫଳତା ନେଇ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଘୋଷଣା କରିବା ପରେ ଟ୍ୱିଟ୍ କରି ଖୁସି ଜାହିର କରିଛନ୍ତି ସିରମ୍ ଇନଷ୍ଟିଚ୍ୟୁଟର ମୁଖ୍ୟ ।
ଫେବ୍ରୁଆରି ମାସରେ ଭାରତରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଓ ଏପ୍ରିଲ ମାସରେ ବଜାରରେ ଏହି ଟିକା ଉପଲବ୍ଧ ହୋଇପାରିବ ବୋଲି ନିକଟରେ କହିଥିଲା ସିରମ୍ ଇନଷ୍ଟିଚ୍ୟୁଟ । ତେଣୁ ଅକ୍ସଫୋର୍ଡ ଟିକାର ସଫଳତା ଭାରତରେ ନୂଆ ଆଶା ସଂଚାର କରିଛି ।
I am delighted to hear that, Covishield, a low-cost, logistically manageable & soon to be widely available, #COVID19 vaccine, will offer protection up to 90% in one type of dosage regime and 62% in the other dosage regime. Further details on this, will be provided this evening. https://t.co/KCr3GmROiW
— Adar Poonawalla (@adarpoonawalla) November 23, 2020