ସନ୍ଷ୍ଟାର ଟିଭି ବ୍ୟୁରୋ
ବଲାଙ୍ଗୀର ଜିଲ୍ଲାର ବେଲପଡା ଥାନା ଅନ୍ତର୍ଗତ ଡେବ୍ରିପାଲିରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ନାବାଳିକାକୁ ଜିଅନ୍ତା ପୋଡିଦେବା ପାଇଁ ଉଦ୍ୟମ କରିଛି ବାପା । ଏନେଇ ବାପାଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ ଆଣିଛନ୍ତି ମାମୁଁଘର ଲୋକେ । ନାବାଳିକାର ପିତା କିରୋସିନ ଢାଳି ଜାଳିଦେଇ ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଝିଅଟିର ଚିତ୍କାର ଶୁଣି ପଡୋଶୀମାନେ ତାକୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତି କରିଛନ୍ତି । ସେପଟେ ଝିଅର ମାମୁଁଘର ଲୋକେ ବାପା ଅରକ୍ଷିତ ନାଗ ଏପରି କାଣ୍ଡ କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ।
ଅରକ୍ଷିତ ଦୁଇଟି ସ୍ତ୍ରୀ ବାହା ହୋଇଥିବା ବେଳେ, ଯେଉଁ ନାବାଳିକାଙ୍କୁ ଜାଳି ହତ୍ୟା ଉଦ୍ୟମ କରିଛନ୍ତି ସେ ହେଉଛନ୍ତି ତାଙ୍କ ପ୍ରଥମ ସ୍ତ୍ରୀଙ୍କ ଝିଅ । ତେବେ ଛୋଟବେଳୁ ସେ ମାମୁଁ ଘରେ ରହିଆସୁଥିଲେ । ଗତ କିଛି ମାସ ପୂର୍ବରୁ ଗାଁରେ ବୈଠକ ବସି ବାପା ପାଖରେ ରହିଆସୁଥିଲେ ନାବାଳିକା ଝିଅ । ହେଲେ ବାପା ଘରେ ଝିଅକୁ ରଖିବାକୁ ଚାହୁଁନଥିବା କାରଣରୁ ଏଭଳି ହତ୍ୟା ଉଦ୍ୟମ କରିଥିବା କହିଛନ୍ତି ନାବାଳିକା ଝିଅର ମାମୁଁଘର ଲୋକେ । ସେପଟେ ମେଡିକାଲରେ ନାବାଳିକାର ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି ।