ସନ୍ଷ୍ଟାର ଟିଭି ବ୍ୟୁରୋ
କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥୀକୁ ପବିତ୍ର ଅଳାଁ ନବମୀ ଭାବେ ପାଳନ କରାଯାଏ ।ଏହି ଦିନ ବ୍ରତଧାରୀମାନେ ଅଳାଁ ଗଛକୁ ପୂଜା କରି ପରିବାରର ସଦସ୍ୟମାନଙ୍କ ମଙ୍ଗଳ କାମନା କରିଥାନ୍ତି। କୁହାଯାଏ ଏହିଦିନ ଅଳାଁ ଗଛମୂଳେ ବସି ଖାଦ୍ୟ ଖାଇଲେ ସବୁ ପ୍ରକାର ରୋଗ ଭଲ ହୋଇଯାଇଥାଏ । ଏହି ଦିନ ଅଳାଁ ଗଛମୂଳେ ଭୋଜନ କରିବା ଓ ପୂଜା କରିବା ମା ଲକ୍ଷ୍ମୀଙ୍କ ଦ୍ଵାରା ଆରମ୍ଭ ହୋଇଥିଲା ବୋଲି ପୁରାଣରେ ବର୍ଣ୍ଣିତ ଅଛି ।ପୌରାଣିକ କାହାଣୀ ଅନୁସାରେ ଏହି ଦିନ ମା ଲକ୍ଷ୍ମୀ ପୃଥିବୀ ପୃଷ୍ଠକୁ ଭ୍ରମଣ କରିବାକୁ ଆସିଥିଲେ । ପୃଥିବୀ ପୃଷ୍ଠକୁ ଆସିବା ପରେ ତାଙ୍କୁ ଏକାସାଙ୍ଗରେ ଭଗବାନ ବିଷ୍ଣୁ ଓ ମହାଦେବଙ୍କୁ ପୂଜା କରିବାକୁ ଇଚ୍ଛା ହେଲା । ଏହି ପୂଜା କେମିତି କରିବେ ବୋଲି ଚିନ୍ତାକରିବା ସମୟରେ ତାଙ୍କର ମନେ ପଡିଲା ବିଷ୍ଣୁଙ୍କର ପ୍ରିୟ ତୁଳସୀ ଓ ଶିବଙ୍କର ପ୍ରିୟ ବେଲପତ୍ର ଗୁଣ ଅଳାଁ ଗଛରେ ରହିଛି ।ତେଣୁ ସେ ଅଳାଁ ଗଛ ମୂଳରେ ପୂଜା କରିବାକୁ ବସି ପଡିଲେ । ତାଙ୍କ ପୂଜାରେ ସନ୍ତୁଷ୍ଟ ହୋଇ ଭଗବାନ ଶିବ ଓ ବିଷ୍ଣୁ ସେଠାରେ ପ୍ରକଟ ହେଲେ । ମା ଲକ୍ଷ୍ମୀ ସେହି ଗଛ ମୂଳରେ ରୋଷେଇ କରି ସେମାନଙ୍କୁ ଖାଇବାକୁ ଦେଲେ ଓ ନିଜେ ସେଠାରେ ଖାଇଲେ ।ସେହି ଦିନଠାରୁ ଅଳାଁ ଗଛର ପୂଜା ପ୍ରଚଳିତ ହେଲା ।
ଏହି ଦିନ ବ୍ରତଧାରୀମାନେ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ସ୍ନାନ ସାରି ପୂଜା କରିବାର ବିଧି ରହିଛି ।ଗଛମୂଳରେ କ୍ଷୀର ଢାଳିବା ସହ ଫୁଲ , ଧୂପ , ଦୀପ ଦେଇ ବିଧି ପୂର୍ବକ ପୂଜାର୍ଚ୍ଚନା କରିଥାନ୍ତି । ତା ପରେ ଗଛ ଚାରିପଟେ ୭ ଥର ପରିକ୍ରମା କରି ଦୀପ ପ୍ରଜ୍ଵଳନ କରିଥାନ୍ତି । ଏହା ଦ୍ଵାରା ପରିବାର ର ସବୁ ପ୍ରକାର ଦୁଃଖ କଷ୍ଟ ଦୂର ହୁଏ ବୋଲି ବିଶ୍ଵାସ କରାଯାଏ । ପଦ୍ମ ପୁରାଣ ଅନୁସାରେ ଅଳାଁ ଫଳ ଖାଇଲେ ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇଥାନ୍ତି ଓ ମନୁଷ୍ୟର ପାପ କ୍ଷୟ ହୋଇଥାଏ ।
ଅଳାଁ ନବମୀ ଦିନ ପୁରୀ ସାକ୍ଷୀଗୋପାଳ ମନ୍ଦିରରେ ରାଧା ପାଦ ଦର୍ଶନର ବିଧି ରହିଛି । ଏହି ଦିନ ରାଧାଙ୍କ ପାଦ ଦର୍ଶନ କଲେ ପୂର୍ଣ୍ୟ ମିଳେ ବୋଲି କୁହାଯାଏ । ସେଥିପାଇଁ ପ୍ରତିବର୍ଷ ଏହି ଦିନରେ ଏଠାରେ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ଭିଡ ଜମିଥାଏ ।କିନ୍ତୁ ଚଳିତ ବର୍ଷ କରୋନା କଟକଣା ପାଇଁ ଏଠାରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି ଓ ୧୪୪ ଧାରା ଲାଗୁ ହୋଇଛି ।