ସନ୍ଷ୍ଟାର ଟିଭି ବ୍ୟୁରୋ
ଡିସେମ୍ବର ପହିଲାରୁ ଆରମ୍ଭ ହେବାକୁ ଯାଉଛି କୋଣାର୍କ ମହୋତ୍ସବ । ଏଥି ସହ ଚନ୍ଦ୍ରଭାଗା କୂଳରେ ମଧ୍ୟ ଅନୁଷ୍ଠିତ ହେବ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କିଭଳି ଭାବରେ ଏହି ଦୁଇଟି ଉତ୍ସବକୁ ପାଳନ କରାଯିବ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି । ତେଣୁ ଏହି ଦୁଇ ମହୋତ୍ସବକୁ ବନ୍ଦ କରିବା ପାଇଁ ସମାଜସେବୀ ବୃନ୍ଦାବନ ଦାସ ଆଜାଦ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି । ସେ ପିଟିସନ୍ରେ ଉଲ୍ଲେଖ କରିଛନ୍ତି ଯେ, ଏହି ଉତ୍ସବ ଅବସରରେ କୋଣାର୍କ ନାଟ୍ୟ ମଣ୍ଡପରେ ନୃତ୍ୟ କାର୍ଯ୍ୟକ୍ରମ ହୋଇଥାଏ । ଯେଉଁଥିରେ ସମଗ୍ର ଦେଶର ପ୍ରାୟ ୨୫ଟି ରାଜ୍ୟରୁ କଳାକାରମାନେ ଭାଗ ନେଇଥାନ୍ତି । ପ୍ରତି ରାଜ୍ୟରୁ ଯଦି ଅତିକମ୍ରେ ୨୦ ଜଣ ନୃତ୍ୟ ଶିଳ୍ପୀ ଆସନ୍ତି ତାହେଲେ ଏମାନଙ୍କ ସଂଖ୍ୟା ୫୦୦ ଟପିଯିବ । କୋଣାର୍କ ନାଟ୍ୟ ମଣ୍ଡପରେ ୨ହଜାର ପର୍ଯ୍ୟନ୍ତ ଦର୍ଶକ ବସିପାରିବେ । ଯଦି ବି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାର ୫୦% ଦର୍ଶକଙ୍କୁ ବସିବାକୁ ଅନୁମତି ମିଳେ ତାହେଲେ ଏଠାରେ ହଜାରେ ପର୍ଯ୍ୟନ୍ତ ଦର୍ଶକ ଏକତ୍ରିତ ହେବେ । କିନ୍ତୁ ନିୟମ ଅନୁଯାୟୀ, କୌଣସି ବାହାଘର ବା ଉତ୍ସବରେ ସର୍ବାଧିକ ୨୦୦ ପର୍ଯ୍ୟନ୍ତ ଲୋକ ଏକତ୍ରିତ ହୋଇପାରିବେ ।ଏପରିକି କେତେକ ସହରରେ ୧୦୦ ଭିତରେ ଲୋକ ଏକତ୍ରିତ ହୋଇପାରିବେ ବୋଲି କଟକଣା ଲାଗୁ କରାଯାଇଛି । ତେଣୁ କୋଣାର୍କ ମହୋତ୍ସବରେ ଏତେ ଲୋକଙ୍କୁ କିପରି ଅନୁମତି ଦିଆଯିବ ବୋଲି ଆବେଦନକାରୀ ପ୍ରଶ୍ନ କରିଛନ୍ତି ।
ଏଥିସହ ଆନ୍ତର୍ଜାତିକ ବାଲୁକା ଶିଳ୍ପ କଳାରେ ମଧ୍ୟ ବହୁ ସଂଖ୍ୟାରେ ଲୋକେ ଭାଗ ନେବେ । ଶେଷ ଅନ୍ଲକ୍ରେ ସ୍ୱତନ୍ତ୍ର ରିଲିଫ୍ କମିସନର ଯେଉଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ସେଥିରେ ଆସନ୍ତା ୩୦ ପର୍ଯ୍ୟନ୍ତ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ କଟକଣା ଲାଗୁ କରାଯାଇଛି । ଆସନ୍ତା ଅନ୍ଲକ୍ ପ୍ରକ୍ରିୟା ବେଳକୁ କଟକଣା କେତେଦୂର ରହିବ ତାହା ମଧ୍ୟ ଜଣାପଡି ନାହିଁ ।
ବର୍ତ୍ତମାନ ଦେଶର ଦିଲ୍ଲୀ, ଗୁଜୁରାଟ ଏବଂ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଯଦି ଏହି ମହୋତ୍ସବ ଅନୁଷ୍ଠିତ ହୁଏ ତାହେଲେ ବାହାର ରାଜ୍ୟରୁ କଳାକାରମାନେ ଆସୁଥିବାରୁ କରୋନା ସଂକ୍ରମଣ ଅଧିକ ବ୍ୟାପିବା ନେଇ ଆଶଙ୍କା ରହିଛି । କିଛିଦିନ ତଳେ କରୋନାର ଦ୍ୱିତୀୟ ଲହରକୁ ନେଇ ନିଜେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସତର୍କ କରାଇଥିଲେ । କିନ୍ତୁ ଏସବୁକୁ ଏଡାଇ ଦେଇ ପର୍ଯ୍ୟଟନ ବିଭାଗ କିପରି ଏହି ମହୋତ୍ସବ କରିବା ଲାଗି ଅନୁମତି ଦେଇଛି ତାହାକୁ ନେଇ ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି । ମହୋତ୍ସବକୁ ବନ୍ଦ କରିବା ଲାଗି ଅଦାଲତ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶିବପ୍ରସାଦ ମହାନ୍ତି ମାମଲା ରୁଜୁ କରିଛନ୍ତି।