ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: ଓଡ଼ିଶାର ପ୍ରଥମ ଝିଅ ଭାବେ ଜାତୀୟ ଟାଇକୋଣ୍ଡୋ ଦଳରେ ସ୍ଥାନ ପାଇ ଗୌରବ ଅର୍ଜନ କରିଛନ୍ତି ଡାକ୍ତର ନିଳିମା କଟ୍ଟି ।ସେ ବର୍ତ୍ତମାନ କଟକ ବଡ଼ ମେଡିକାଲର ଦନ୍ତ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି । ଦୀର୍ଘ ୫ ବର୍ଷ ଧରି ତାଲିମ ଓ ଅଭ୍ୟାସ ତାଙ୍କୁ ଜାତୀୟ ଟାଇକୋଣ୍ତୋ ଦଳରେ ସ୍ଥାନ ଦେଇ ପାରିଛି। କଟକ ମହତାବ ରୋଡ଼ ଅଞ୍ଚଳରେ ବାସ କରୁଥିବା ଅଶୋକ କୁମାର କଟ୍ଟି ଓ ନାଗବେଣି କଟ୍ଟିଙ୍କ ଝିଅ ଡାକ୍ତର ନିଳିମା । ନିଜର ଦୃଢ଼ ମନୋବଳ ଓ ସ୍ବାମୀ ଡକ୍ଟର ଦେବପ୍ରତୀମ ମହାନ୍ତିଙ୍କ ସହଯୋଗରେ ଏଭଳି କୃତିତ୍ବ ହାସଲ କରି ପାରିଛନ୍ତି ବୋଲି କହିଛନ୍ତି ନିଳିମା। ଡାକ୍ତର ନିଳିମା ଓଡ଼ିଶାର ପ୍ରଥମ ଝିଅ ଭାବେ ସିନିୟର ୧୮ ଜଣିଆ ଦଳରେ ସାମିଲ ହୋଇଥିବା ବେଳେ ୫୦ ବର୍ଷରୁ କମ୍ ବର୍ଗରେ ସେ ସୁଯୋଗ ପାଇବେ। ଏହାସହ ଆଗାମୀ ଦିନରେ ହେବାକୁ ଥିବା ଅନ୍ଲାଇନ୍ ବିଶ୍ବ ଟାଇକୋଣ୍ତୋ ଓ ଏସିଆନ୍ ଟାଇକୋଣ୍ତୋ ପ୍ରତିଯୋଗିତାରେ ସେ ଭାରତୀୟ ଦଳରେ ମଧ୍ୟ ଦେଖିବାକୁ ମିଳିବେ। ଡାକ୍ତର ନିଲିମାଙ୍କୁ ଜାତୀୟସ୍ତରର କୋଚ୍ ଅମରେନ୍ଦ୍ର ପୃଷ୍ଟି ଏବେ ତାଲିମ ଦେଉଛନ୍ତି।
ଡାକ୍ତର ନିଳିମା କହିବା ଅନୁଯାୟୀ ତାଙ୍କର ପିଲାବେଳୁ ଏହି କ୍ରୀଡ଼ା ପ୍ରତି ଆଗ୍ରହ ରହିଆସିଛି। ।ବିଶ୍ବ ଟାଇକୋଣ୍ଡୋ ପ୍ରତିଯୋଗିତାରେ ଚାମ୍ପିଅନ ହୋଇ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିବାକୁ ଚେଷ୍ଟା କରିବେ ବୋଲି ଡାକ୍ତର ନିଳିମା କହିଛନ୍ତି।