ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର; ଆଜି କିଟ୍ ବିଶ୍ବବିଦ୍ୟାଳୟର ୧୬ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଛି। କରୋନା ମହାମାରୀ ଦୃଷ୍ଟିରୁ ରଖାଯାଇ ଏହି ଉତ୍ସବକୁ ଭର୍ଚୁଆଲ୍ ମୋଡ୍ରେ କଗାଯାଇଥିଲା। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ନୋବେଲ୍ ଶାନ୍ତି ପୁରସ୍କାର ବିଜେତା ତଥା ବାଂଲାଦେଶ ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠାତା ପ୍ରଫେସର ମହମ୍ମଦ ୟୁନୁସ୍ ଦୀକ୍ଷାନ୍ତ । ପ୍ରଫେସର ୟୁନୁସ୍ ନିଜ ଭାଷଣରେ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ‘ତୁମ୍ଭେମାନେ ଜୀବନର ଏକ ନୂତନ ପର୍ଯ୍ୟାୟକୁ ପ୍ରବେଶ କରୁଛ। ଶିକ୍ଷା ହେଉଛି ଏକ ଦୀର୍ଘ ଏବଂ କଠିନ ଯାତ୍ରା। କିନ୍ତୁ ଏହା ବିଶ୍ୱରେ ପରିବର୍ତ୍ତନ ଆଣିବାରେ ସକ୍ଷମ କରାଇଥାଏ। କରୋନା ମହାମାରୀ ଯୋଗୁଁ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ଜୀବନ ଜୀବିକା ହରାଇଛନ୍ତି। ବିଶ୍ୱର ୫୦% ଲୋକ ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି। ଏହା ଆମ ବ୍ୟବସ୍ଥାରେ ଥିବା ଦୁର୍ବଳତାକୁ ଦର୍ଶାଉଛି। ବିଶ୍ୱର ପୁନଃନିର୍ମାଣ ପାଇଁ ତୁମ୍ଭମାନଙ୍କ ପାଇଁ ମହାମାରୀ ହେଉଛି ଏକ ସୁଯୋଗ। ତୁମ୍ଭେମାନେ ଏପରି ଏକ ବିଶ୍ୱ ନିର୍ମାଣ କର ଯାହା ଅଧିକ ସ୍ଥିତିସ୍ଥାପକ ହେବା ସହ ସବୁକ୍ଷେତ୍ରରେ ସମାନତା ରହିଥିବ’। ବର୍ତ୍ତମାନ ଆମର ବ୍ୟବସ୍ଥା ଏପରି ହୋଇଛି ଯେ ବିଶ୍ୱର ମାତ୍ର ୧% ଲୋକଙ୍କ ହାତରେ ୯୯% ସମ୍ପତ୍ତି ଠୁଳ ହୋଇ ରହିଛି। ବିଶ୍ୱ ତାପମାନ ଆମର ଅସ୍ଥିତ୍ତ୍ୱ ନେଇ ବିପଦ ସୃଷ୍ଟି କରିଛି। ତୁମ୍ଭମାନଙ୍କର ଶିକ୍ଷା ଓ ଚିନ୍ତାଶକ୍ତି ହିଁ ଏକ ନୂତନ ବିଶ୍ୱ ଗଠନ କରିପାରିବ ବୋଲି ପ୍ରଫେସର ୟୁନୁସ୍ କହିଥିଲେ।
ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ତଥା ଆର୍ଟ ଅଫ୍ ଲିଭିଂର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବି ଶଙ୍କର କହିଲେ, ଶିକ୍ଷାର ଉଦ୍ଦେଶ୍ୟ ହେଉଛି ଏକ ସୁଦୃଢ ବ୍ୟକ୍ତିତ୍ୱ ଗଠନ ଯାହାକି, ନୂତନ ଚ୍ୟାଲେଞ୍ଜକୁ ସୁଯୋଗରେ ପରିଣତ କରିବାରେ ସହାୟକ ହୋଇଥାଏ। ଏହା ମଧ୍ୟ ଉଦାର ମନୋଭାବ ଏବଂ ନମ୍ରତାର ସହ ଜ୍ଞାନ ଆହରଣ ଜାରି ରଖିବାରେ ସାହାଯ୍ୟ କରିଥାଏ। ଜୀବନରେ ସଫଳତା ହାସଲ କରିବାକୁ ହେଲେ ଆତ୍ମମନୋବଳ, ଦୃଢ଼ତା, ଧୈର୍ଯ୍ୟ, ସୃଜନଶୀଳ ଉପରେ ଗୁରୁତ୍ୱ ଦେବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।
ସମ୍ମାନସୂଚକ ଡକ୍ଟୋରେଟ ଗ୍ରହଣ କରି ଡ. ମହାପାତ୍ର କହିଥିଲେ ସମାଜ ପାଇଁ ବିଜ୍ଞାନର ଅବଦାନକୁ ଏହା ହେଉଛି ଏକ ସ୍ୱୀକୃତି। ଏହି ସମ୍ମାନ ପାଣିପାଗ ବିଜ୍ଞାନ ଛାତ୍ରଛାତ୍ରୀ, ଗବେଷକ ଓ ବୈଜ୍ଞାନିକଙ୍କୁ ଉତ୍ସାହିତ କରିବ ବୋଲି ସେ କହିଥିଲେ । ଏଥିପାଇଁ ସେ କିଟ୍ ଓ କିସ୍ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। ଶ୍ରୀ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍ ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ବେଦ ପ୍ରକାଶ, ଉପକୁଳାଧିପତି ଡ. ସୁବ୍ରତ ଆଚାର୍ଯ୍ୟ, କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ ଏବଂ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବା ସହ ଅଭିନନ୍ଦନ ଜଣାଇଥିଲେ । ୨୦୧୯-୨୦ ଶିକ୍ଷା ବର୍ଷର ୭୧୩୫ଜଣ ଛାତ୍ରଛାତ୍ରୀଙ୍କୁ ଡ଼ିଗ୍ରୀ ପ୍ରଦାନ କରାଯାଇଥିଲା ।
ବିଟେକ୍ ଛାତ୍ର ପ୍ରଖର ପ୍ରିୟେସ୍, ରୋଶନ ଓଝା ଏବଂ ଏମଟେକ୍ ଛାତ୍ର ଶ୍ରୀଷ୍ଠି ରାଜ୍ ଙ୍କୁ ପ୍ରତିଷ୍ଠାତା ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଥିବାବେଳେ ୨୩ଜଣ ଛାତ୍ରଛାତ୍ରୀଙ୍କୁ କୁଳାଧିପତି ସ୍ୱର୍ଣ୍ଣପଦକ, ୨୮ଜଣ ଛାତ୍ରଛାତ୍ରୀଙ୍କୁ କୁଳପତି ରୌପ୍ୟପଦକ, ପି. କେ. ବଳ ସ୍ମାରକୀ ସ୍ୱର୍ଣ୍ଣପଦକ, ପିପିଏଲ୍ ସ୍ୱର୍ଣ୍ଣପଦକ, ନନୀବାଳା ସ୍ମାରକୀ ସ୍ୱର୍ଣ୍ଣପଦକ ଏବଂ କୃଷ୍ଣ ଚନ୍ଦ୍ର ପଣ୍ଡା ସ୍ମାରକୀ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଥିଲା । ୯୫ଜଣ ଗବେଷଣାରତ ଛାତ୍ରଛାତ୍ରୀଙ୍କୁ ପିଏଚଡ଼ି ଡ଼ିଗ୍ରୀ ପ୍ରଦାନ କରାଯାଇଥିଲା ।