ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଜିର ଟେକ୍ନୋଲୋଜି ଯୁଗରେ କୌଣସି ଅଜଣା ସ୍ଥାନରେ ପହଞ୍ଚିବାକୁ ହେଲେ ସବୁଠୁ ସହଜ ଓ ସରଳ ମାଧ୍ୟମ ହେଉଛି ଗୁଗୁଲ ମ୍ୟାପ । କିନ୍ତୁ ଏହି ମ୍ୟାପରେ ମଧ୍ୟ ଗୁରୁତର ତ୍ରୁଟି ଦେଖାଯାଇଛି ।ଓଡିଶାରେ ଅବସ୍ଥିତ କୋରାପୁଟ ଜିଲ୍ଲାର କିଛି ଅଞ୍ଚଳକୁ ଗୁଗୁଲ ମ୍ୟାପ ଆନ୍ଧ୍ରପ୍ରଦେଶର ବୋଲି ଦର୍ଶାଇଛି ।କୋରାପୁଟର ଗାଲିବଦର ଗାଁ, ସୁନାବେଡା ଓ ଏହାର ଆଖପାଖ ଅଞ୍ଚଳକୁ ଗୁଗୁଲ ମ୍ୟାପ ଆନ୍ଧ୍ରପ୍ରଦେଶର ବୋଲି ଦର୍ଶାଇଛି। ଓଡିଶାର ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ ଗାଲିବଦର ଓ ରଥିବାଲି ଜଳପ୍ରପାତକୁ ମଧ୍ୟ ଗୁଗୁଲ ମ୍ୟାପ ଆନ୍ଧ୍ରପ୍ରଦେଶରେ ଦେଖାଉଛି ଓ ତେଲୁଗୁ ଭାଷାରେ ରଥିବାଲି ନାମ ଆସୁଛି ।
ଯାହାକୁ ନେଇ କୋରାପୁଟ ବାସିନ୍ଦା ତଥା ବୁଦ୍ଧିଜୀବୀ ଗୋଷ୍ଠୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଓଡିଶା ଆନ୍ଧ୍ର ମଧ୍ୟରେ ଚାଲିଥିବା ସୀମା ବିବାଦ ସମୟରେ ଗୁଗୁଲ୍ର ଏପରି ତଥ୍ୟ ନିଶ୍ଚିନ୍ତ ଭାବେ ଓଡିଶାକୁ ଅସୁବିଧାରେ ପକାଇବ । ଏହା ଆନ୍ଧ୍ରପ୍ରଦେଶର ଷଡଯନ୍ତ୍ର ହୋଇଥାଇପାରେ ଓ ଓଡିଶା ସରକାର ଏହାର ତଦନ୍ତ କରିବା ନିହାତି ଆବଶ୍ୟକ ବୋଲି କହିଛନ୍ତି ଅନେକ ବୁଦ୍ଧିଜୀବୀ।