ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର,:ଓଡିଶାରେ ସ୍କୁଲ ବନ୍ଦକୁ ନେଇ ବିଧାନସଭାରେ ଶାସକ ଦଳକୁ ଘେରିଛନ୍ତି ବିରୋଧି ଦଳର ନେତାମାନେ।। କଂଗ୍ରେସ ବିଧାୟକ ତାରା ବାହିନୀପତି ସ୍କୁଲ ବନ୍ଦ ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିଥିଲେ । ପାହାଡ଼ିଆ ଅଞ୍ଚଳରେ ସ୍କୁଲ ବନ୍ଦ ହେଲେ ନଦୀ ପାହାଡ଼ ଡେଇଁ ଯିବାକୁ ପଡ଼ିବ । ଫଳରେ ଯେତିକି ପିଲା ଅଛନ୍ତି, ସେମାନେ ଡ୍ରପ ଆଉଟ ହେବେ ଏ ନିଷ୍ପତି ପ୍ରତ୍ୟାହାର ନହେଲେ ସେ ଆତ୍ମାହୂତି ଦେବେ ଏବଂ ବେକ କାଟି ମରିବେ ବୋଲି କହିଛନ୍ତି ।ବାଚସ୍ପତିଙ୍କ ସମ୍ମୁଖରେ ଫାଇବରରେ ମୁଣ୍ଡ ମଧ୍ୟ ପିଟିଛନ୍ତି ତାରା ।
କଂଗ୍ରେସ ବିଧାୟକ ନରସିଂହ ମିଶ୍ର ବିଧାନସଭାରେ ସ୍କୁଲ ବନ୍ଦ ପ୍ରସଙ୍ଗକୁ ଉଠାଇ କହିଥିଲେ ଯେ ଶିକ୍ଷା ସମସ୍ତଙ୍କର ମୌଳିକ ଅଧିକାର । ସ୍କୁଲ ବନ୍ଦ ପ୍ରସଙ୍ଗରେ ଆଜି ଆଲୋଚନା କରିବା ସହ ସର୍ବଦଳୀୟ ବୈଠକ କରାଯାଉ, ଏବଂ ବୈଠକକୁ ମନ୍ତ୍ରୀ ଆସନ୍ତୁ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦାବି କରିଛନ୍ତି ।
ସ୍କୁଲ ବନ୍ଦ ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ଯେ ରାଜ୍ୟରେ ୧୩ ହଜାର ନୁହେଁ , ୭୭୭୨ଟି ସ୍କୁଲକୁ ବନ୍ଦ କରିବା ନେଇ ପ୍ରକ୍ରିୟା ଜାରି ରହିଛି । ଗୁଣାତ୍ମକ ଶିକ୍ଷା ଦେବା ସରକାରଙ୍କ ଉଦ୍ଦେଶ୍ୟ, ସ୍କୁଲ ବନ୍ଦ କରିବା ନୁହେଁ । ପିଲାଙ୍କ ସ୍ୱାର୍ଥ ଦୃଷ୍ଟିରୁ କମ ପିଲାରେ ୩୦୦ ସ୍କୁଲ ଆମେ ଚଳାଉଛୁ । ଯେଉଁ ୧୩ ହଜାର ସ୍କୁଲ ବନ୍ଦ କଥା କୁହାଯାଉଛି ସେଥିରେ ସତ୍ୟତା ନାହିଁ । ଯେଉଁ ସ୍କୁଲ ବନ୍ଦ ହୋଇଛି ସେଠାରେ କ୍ଲାସ ରୁମ ଓ ଶିକ୍ଷକ ଦେବା ସମ୍ଭବ ହେଉନି । ୭୭୭୨ ସ୍କୁଲ ବନ୍ଦ କରିବା ପ୍ରକ୍ରିୟା ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।
ସ୍କୁଲ ବନ୍ଦ ପ୍ରସଙ୍ଗରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସାନି ରୁଲିଂ ପ୍ରଦାନ କରିଛନ୍ତି । ଆସନ୍ତା କାଲି ସୁଦ୍ଧା ସ୍କୁଲ ବନ୍ଦ ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।ବନ୍ଦ କରାଯାଉଥିବା ସ୍କୁଲର ଛାତ୍ରଛାତ୍ରୀଙ୍କୁ କେଉଁଠି ନେବେ ସେ ନେଇ ମନ୍ତ୍ରୀ ସ୍ପଷ୍ଟୀକରଣ ରଖିବାକୁ ବାଚସ୍ପତି ରୁଲିଂ ଦେଇଛନ୍ତି ।