ସନ୍ଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: ୫ ଶହ କୋଟି ଟଙ୍କାର ମାନହାନୀ ନୋଟିସ୍ ଜାରି କରିଛନ୍ତି ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାର। ଜଣେ ୟୁଟୁବର ତାଙ୍କ ବିରୁଦ୍ଧରେ ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ମିଥ୍ୟା ଏବଂ ଭିତ୍ତିହୀନ ଅଭିଯୋଗ ଆଣିବା ପରେ ସେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ସେହି ୟୁଟୁବର ଜଣକ ହେଉଛନ୍ତି ରସିଦ୍ ସିଦ୍ଦିକ୍ୟୁ । ତାଙ୍କର FF ନାମକ ଏକ ନ୍ୟୁଜ୍ ଚ୍ୟାନେଲ୍ ମଧ୍ୟ ରହିଛି । ସେ ତାଙ୍କ ଚ୍ୟାନେଲ୍ରେ ଏକ ଭିଡିଓ ପ୍ରସାରିତ କରିଥିଲେ। ଯେଉଁଥିରେ ସେ ଅଭିଯୋଗ ଆଣି କହିଥିଲେ, ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣା ପରେ ରିୟା ଚକ୍ରବର୍ତ୍ତୀଙ୍କୁ ଅକ୍ଷୟ ସାହାଯ୍ୟ କରିଥିଲେ। ଏପରିକି ରିୟାଙ୍କୁ କାନାଡ଼ା ଫେରାର ହେବାରେ ଅକ୍ଷୟ ତାଙ୍କୁ ସାହାଯ୍ୟ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ଏଥିପାଇଁ ଅକ୍ଷୟ, ଆଦିତ୍ୟ ଠାକ୍ରେଙ୍କ ସହ ସିକ୍ରେଟ୍ ମିଟିଂ ମଧ୍ୟ କରିଥିଲେ।
ଏସବୁ ଘଟଣା ସାମ୍ନାକୁ ଆସିବା ପରେ ନଭେମ୍ବର ୧୭ରେ ଅକ୍ଷୟ ଲ’ ଫାର୍ମ ଆଇସି ଲିଗାଲ ଜରିଆରେ ରସିଦଙ୍କ ପାଖକୁ ୫୦୦ କୋଟି ଟଙ୍କାର ମାନହାନୀ ନୋଟିସ ପଠାଇଛନ୍ତି। ଏଥିସହ ରସିଦ ତାଙ୍କୁ ନିଃସର୍ତ୍ତ କ୍ଷମା ମାଗନ୍ତୁ ବୋଲି ଅକ୍ଷୟ କହିଛନ୍ତି।
ଅନ୍ୟପକ୍ଷରେ, ଏହି ଘଟଣାରେ ପୋଲିସ୍ ରସିଦ୍ଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ଘଟଣାରେ ଯଦିଓ ତାଙ୍କୁ ଆଗୁଆ ଜାମିନ ମିଳି ସାରିଛି, ତେବେ ତଦନ୍ତ ସମୟରେ ବାନ୍ଦ୍ରା ପୋଲିସ୍କୁ ସହଯୋଗ କରିବା ପାଇଁ ତାଙ୍କୁ କୁହାଯାଇଛି।
Mid Dayରେ ପ୍ରକାଶିତ ହୋଇଥିବା ଏକ ରିପୋର୍ଟ ଅନୁସାରେ, ରସିଦ୍ ନିଜ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମିଥ୍ୟା ଖବର ପ୍ରସାରଣ କରି ୪ ମାସ ଭିତରେ ୧୫ ଲକ୍ଷ ଟଙ୍କା ରୋଜଗାର କରି ସାରିଛନ୍ତି। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ରସିଦ୍ ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଅନେକ ମିଥ୍ୟା ଖବର ପ୍ରସାରଣ କରି ପୁଳାପୁଳା ଟଙ୍କା ରୋଜଗାର କରୁଥିଲେ।