ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଓଡ଼ିଶା ସହ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ଗତ କିଛି ଦିନ ହେବ ସୀମା ବିବାଦ ଲାଗିରହିଛି ।ଏହାର ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗତକାଲି ଚିଠି ଲେଖିଛନ୍ତି । ସେ ଚିଠିରେ ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଝାଡ଼ଖଣ୍ଡ ସହ ରହିଥିବା ସୀମା ବିବାଦକୁ ସମାଧାନ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ତଥା ଆପୋଷ ବୁଝାମଣା କରିବା ପାଇଁ କେନ୍ଦ୍ର ସରକାରଙ୍କ ସହାୟତା ନେବା ଓ ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।
ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ପଡ଼ୋଶୀ ରାଜ୍ୟଗୁଡ଼ିକ ସହ ଥିବା ସୀମା ବିବାଦକୁ ଆଲୋଚନା କରିବା ପାଇଁ ସର୍ବଦଳୀୟ ବୈଠକ ଡକାଯାଉ । ଏହି ବୈଠକରେ ଓଡ଼ିଶା ଗୁଇନ୍ଦା ବିଭାଗର ତଥ୍ୟ ସହ ସମାଜର ବ୍ୟକ୍ତିବିଶେଷଙ୍କ କଥାକୁ ଗୁରୁତ୍ୱକୁ ନିଆଯାଉ । ସୀମା ବିବାଦର ବିସ୍ତୃତ ଓ ସ୍ଥାୟୀ ସମାଧାନ କରିବା ପାଇଁ ଓଡ଼ିଶା ବିଧାନସଭାରେ ବିଭିନ୍ନ ଦଳର ସଦସ୍ୟମାନଙ୍କୁ ନେଇ ଏକ ଗୃହ କମିଟି ଗଠନ କରାଯାଉ । ଏହାଦ୍ୱାରା ସେମାନେ ଏହା ଉପରେ ବିଶେଷ ଅନୁଧ୍ୟାନ କରିବା ସହ ତଥ୍ୟ ଆଧାରିତ ପରାମର୍ଶ ଦେବେ । ଏହି ସୀମା ବିବାଦ ବିଷୟର ଗୁରୁତ୍ୱକୁ ଅଧିକ ଧ୍ୟାନରେ ରଖି ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ ମଧ୍ୟରେ ଥିବା ସୀମା ବିବାଦର ସମାଧାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ସହାୟତା ଲୋଡ଼ିବାକୁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ସୂଚାଇଛନ୍ତି । ସମସ୍ତ ବିଷୟକୁ ଦୃଷ୍ଟିରେ ରଖି ଓଡ଼ିଶା ନିଜ ପଡ଼ୋଶୀ ରାଜ୍ୟ ଯଥା ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଝାଡଖଣ୍ଡ ରାଜ୍ୟ ଗୁଡ଼ିକମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ସୀମା ବିବାଦକୁ ସମାଧାନ କରିପାରିବ । ସଂଘୀୟ ବ୍ୟବସ୍ଥା ତଥା ରାଜ୍ୟମାନଙ୍କ ମଧ୍ୟରେ ଭାଇଚାରା ଦୃଷ୍ଟିରେ ଓଡ଼ିଶା ଏହି ସବୁ ଆଲୋଚନାରେ ମୁଖ୍ୟ ଭୂମିକା ଗ୍ରହଣ କରୁ । ଓଡ଼ିଶାର ଲୋକଙ୍କ ସାମାଜିକ-ଆର୍ଥିକ ସ୍ୱାର୍ଥ ସହ ଯେପରି ସାଲିସ ନହୁଏ ତାହାକୁ ସୁନିଶ୍ଚିତ କରିବା ସହ ଆବଶ୍ୟକତା ପଡ଼ିଲେ ରାଜ୍ୟ ଏହି ବିବାଦକୁ ସମାଧାନ କରିବା ପାଇଁ ଆଇନଗତ ପଦକ୍ଷେପ ନେବା ପାଇଁ ବିଚାର କରିବା ଉଚିତ ।