ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଆମେରିକାର ନବ ନିର୍ବାଚିତ ଜୋ ବାଇଡେନ୍ଙ୍କ ବିଜୟ ଭାରତ ପାଇଁ ମିଶ୍ରିତ ଫଳ ଆଣିବ। ଗୋଟିଏ ପଟେ ଆମେରିକା ରାଷ୍ଟ୍ରପତି ଭାରତୀୟ ଆଇଟି ଶିଳ୍ପର ଅଭିବୃଦ୍ଧି କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଅନ୍ୟପଟେ, ତାଙ୍କ ନୀତି ଯୋଗୁ ଭାରତକୁ ଫାର୍ମା ଏଫ୍ଡିଆଇ କମିବ।
ବାଇଡେନ୍ଙ୍କ ନେତୃତ୍ୱରେ ଆମେରିକାରେ ଏକ ନୂଆ ନୀତି ଆରମ୍ଭ ହୋଇପାରେ । ତାଙ୍କ ପଲିସି ସୂଚନା ଅନୁସାରେ, ଆମେରିକା ସରକାର ଉକ୍ତ ଆମେରିକୀୟ ଫାର୍ମା କମ୍ପାନିଗୁଡିକୁ ପ୍ରୋତ୍ସାହନ ଦେବେ ନାହିଁ, ଯେଉଁମାନେ ବିଦେଶରେ ଉତ୍ପାଦନ କରିବେ। ଆମେରିକାରେ ଉତ୍ପାଦନ କରୁଥିବା କମ୍ପାନିଙ୍କୁ ହିଁ ପ୍ରୋତ୍ସାହନ ମିଳିବ। ଏହାଦ୍ୱାରା ଭାରତକୁ ଆମେରିକୀୟ ଫାର୍ମା ଏଫ୍ଡିଆଇ କମିବ। ଏହାସହିତ ବାଇଡେନ୍ ସରକାର ଭାରତୀୟ ଉତ୍ପାଦଗୁଡିକ ଉପରେ ଉଚ୍ଚ ଟାରିଫ୍ ଲଗାଇପାରନ୍ତି ବୋଲି ଆଶଙ୍କା କରାଯାଉଛି।
ତେବେ ଭାରତ-ଆମେରିକା ପ୍ରତିରକ୍ଷା ଏବଂ ଆତଙ୍କବାଦ ବିରୋଧୀ ସହଯୋଗିତା ବଳବତ୍ତର ରହିବ। ପ୍ରଭାବ ବିସ୍ତାର କରୁଥିବା ଚୀନ ଅର୍ଥନୀତିକୁ ମାତ୍ ଦେବା ପାଇଁ ଉଭୟ ରାଷ୍ଟ୍ର ପଦକ୍ଷେପ ନେବେ ବୋଲି ମୋତିଲାଲ ଓସ୍ୱାଲଙ୍କ ଦ୍ୱାରା ପ୍ରସ୍ତୁତ ଇକୋସ୍କୋପ୍ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଭାରତ-ଆମେରିକା ବାଣିଜ୍ୟ ସମ୍ପର୍କ ବଳବତ୍ତର ରହିବ। ବ୍ୟାପାର କ୍ଷେତ୍ରରେ ଆମେରିକା ସହ ଭାରତର ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ।
ଅନ୍ୟପକ୍ଷରେ, ବାଇଡେନ୍ଙ୍କ ‘ମେକ୍ ଇନ୍ ଆମେରିକା’ ଯୋଜନା ଭାରତ ପାଇଁ ନକାରାତ୍ମକ ସାବ୍ୟସ୍ତ ହୋଇପାରେ। ଏହି ଯୋଜନା ଅଧୀନରେ ବିଦେଶରେ ନିବେଶ କରୁଥିବା ଆମେରିକୀୟ କମ୍ପାନିଗୁଡିକୁ ପ୍ରୋତ୍ସାହନ ମିଳିବ ନାହିଁ। ଆମେରିକାରେ ନିବେଶ କରୁଥିବା ତଥା ଆମେରିକୀୟଙ୍କୁ ନିଯୁକ୍ତି ଦେଉଥିବା କମ୍ପାନିଗୁଡିକୁ ହିଁ ପ୍ରୋତ୍ସାହନ ଦେବେ ବାଇଡେନ୍ ସରକାର। ଏହା ଭାରତ ପାଇଁ ବିପରୀତ ସାବ୍ୟସ୍ତ ହେବ। ଭାରତକୁ ଆମେରିକୀୟ ନିବେଶ କିମବ ବୋଲି ମୋତିଲାଲ ଓସ୍ୱାଲ ରିପୋର୍ଟରେ ଉଲ୍ଲେଖ କରାଯାଇଛି।