ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: କରୋନା ମହାମାରୀ ପାଇଁ ମାର୍ଚ୍ଚ ମାସରୁ ସମସ୍ତ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରହିଛି ।ଯାହା ଫଳରେ ପାଠପଢା ବହୁ ମାତ୍ରାରେ ପ୍ରଭାବିତ ହୋଇଛି । ଅନ୍ଲାଇନ ପାଠପଢା ହେଉଥିଲେ ମଧ୍ୟ ତାହା ସବୁ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିବା ସମ୍ଭବ ହୋଇପାରୁନାହିଁ । ତେବେ ଚଳିତ ବର୍ଷ ମାଟ୍ରିକ ଓ +୨ ପରୀକ୍ଷା ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଚଳିତ ଶିକ୍ଷା ବର୍ଷରେ ମାଟ୍ରିକ, ଯୁକ୍ତ ଦୁଇ ପରୀକ୍ଷା ବିଳମ୍ବରେ ହେବ ବୋଲି ମତ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।
ସେ କହିଛନ୍ତି ଯେ ସର୍ବନିମ୍ନ ୩ ମାସ ଶିକ୍ଷାନୁଷ୍ଠାନ ଖୋଲିବା ପରେ ପରୀକ୍ଷା ହେବ । ସର୍ବ ଭାରତୀୟ ସ୍ତରରେ ଯଦି ପରୀକ୍ଷା ବନ୍ଦ ପାଇଁ ନିଷ୍ପତି ନିଆଯାଏ, ତାହାହେଲେ ହୁଏତ ଓଡିଶାରେ ପରୀକ୍ଷା ବନ୍ଦ ହୋଇପାରେ କିନ୍ତୁ ରାଜ୍ୟ ସରକାର ନିଜ ଆଡୁ ପରୀକ୍ଷା ବନ୍ଦ କରିବେ ନାହିଁ ।
ଯଦି ପରୀକ୍ଷା ବନ୍ଦ ହୁଏ ତେବେ ରାଜ୍ୟର ଛାତ୍ରଛାତ୍ରୀ ଗୋଟେ ବର୍ଷ ପଛୁଆ ହୋଇଯିବେ । ଡିସେମ୍ବର ୩୧ ପରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବା ଵ୍ୟଵସ୍ଥା ଉପରେ ଆଲୋଚନା କରାଯିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।