ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଭାରତୀୟ ସଂସ୍କୃତି, ପରମ୍ପରା, କାବ୍ୟକବିତା ଓ ପୁରାଣର ମାହାତ୍ମ୍ୟ ସାରା ବିଶ୍ବକୁ ମୋହିତ କରିଛି ତାହା କେହି ଅସ୍ବୀକାର କରି ପାରିବେ ନାହିଁ। ଭାରତର ଅନେକ କିଛି ବୈଶିଷ୍ଟ୍ୟକୁ ନେଇ ବିଶ୍ବର ବହୁ ବଡ଼ ବଡ଼ ମାନ୍ୟଗଣ୍ୟ ବ୍ୟକ୍ତି ଅନୁପ୍ରାଣିତ ହୋଇଥିବା ବେଳେ ସେଥିରୁ ବାଦ୍ ପଡିନାହାନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା।
ବାରାକ ଓବାମା ନିକଟରେ ଭାରତ ଉପରେ ନିଜର ମତ ରଖି କହିଛନ୍ତି କି ଭାରତ ପ୍ରତି ତାଙ୍କର ସ୍ବତନ୍ତ୍ର ଆକର୍ଷଣ ରହିଛି । ତାହାର କାରଣ ହେଉଛି ସେ ପିଲାଦିନେ ଇଣ୍ଡୋନେସିଆରେ ଥିବା ବେଳେ ଭାରତର ପବିତ୍ର ଗ୍ରନ୍ଥ ରାମାୟଣ ଓ ମହାଭାରତର କାହାଣୀ ସେ ଶୁଣିଛନ୍ତି। ନିକଟରେ ଓବାମା ନିଜର ପୁସ୍ତକ ‘ଏ ପ୍ରମିଜ୍ଡ ଲ୍ୟାଣ୍ଡ୍’ରେ ଭାରତ ବିଷୟରେ ଏହି ସବୁ କଥା ଉଲ୍ଲେଖ କରିଛନ୍ତି। ସେ ଏହା ମଧ୍ୟ ଲେଖିଛନ୍ତି ଯେ ‘ବୋଧହୁଏ ବିଶ୍ବ ଜନସଂଖ୍ୟାରୁ ଭାରତର ଜନସଂଖ୍ୟା ହେଉଛି ଏକ ଷଷ୍ଠାଂଶ। ପ୍ରାୟ ଦୁଇ ହଜାର ଭିନ୍ନ ଜାତି ଏବଂ ସାତ ଶହରୁ ଅଧିକ ଭାଷା ଏଠାରେ କଥିତ।’
ଓବାମା କହିଛନ୍ତି ଯଦିଓ ସେ ରାଷ୍ଟ୍ରପତି ହେବା ପରେ ୨୦୧୦ ମସିହାରେ ପ୍ରଥମେ ଭାରତ ଆସିଥିଲେ। ହେଲେ ତାଙ୍କ କଳ୍ପନାରେ ସେ ଭାରତକୁ ଏକ ସ୍ବତନ୍ତ୍ର ସ୍ଥାନରେ ରଖିଥିଲେ। ବୋଧହୁଏ ତାଙ୍କର ପିଲାଦିନ ହିନ୍ଦୁ ରାମାୟଣ ଓ ମହାଭାରତ ଶୁଣି କଟିଛି ବୋଲି ଭାରତ ପ୍ରତି ତାଙ୍କର ଏପରି ଆକର୍ଷଣ ରହିଛି ବୋଲି ଓବାମା କହିଛନ୍ତି । ସେ ସେଥିରେ ଏହା ଉଲ୍ଲେଖ କରିଛନ୍ତି ଯେ କିଛି ଭାରତ ଓ ପାକିସ୍ତାନୀ ବନ୍ଧୁ ତାଙ୍କୁ ଡାଲି ଓ କିମା ରୋଷେଇ ଶିଖାଇଥିଲେ ଏବଂ ସେମାନଙ୍କ ସହ ରହି ବଲିଉଡ୍ ଚଳଚ୍ଚିତ୍ର ପ୍ରତି ବି ଆଗ୍ରହ ଆସିଥିଲା ଓବାମାଙ୍କର।