ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଓଡିଶା ପର୍ଯ୍ୟଟନର ଆକର୍ଷଣୀୟ କେନ୍ଦ୍ର ମଧ୍ୟରେ ଭୁବନେଶ୍ବରର ଧଉଳିଗିରି ବା ଶାନ୍ତିସ୍ତୁପ ଅନ୍ୟତମ । ପ୍ରତିବର୍ଷ ହଜାର ହଜାର ଲୋକ ଏଠାକୁ ବୁଲିଆସିଥାନ୍ତି ।ବୁଦ୍ଧଦେବଙ୍କର ଅନେକ ମୃର୍ତ୍ତି ଏଠାରେ ଦେଖିବାକୁ ମିଳିଥାଏ । କିନ୍ତୁ ବର୍ତ୍ତମାନ ଏହ଼ି ଶାନ୍ତିସ୍ତୁପ ଛତ୍ରୀରେ ଫାଟ ସୃଷ୍ଟି ହେବା ସହ ସ୍ତୁପର ବିଭିନ୍ନ ସ୍ଥାନରୁ କଂକ୍ରିଟ ଖଣ୍ଡ ଖସିପଡି ଗର୍ତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । କିଛି ସ୍ଥାନରେ ସ୍ତୁପର କାନ୍ଥ ଚଡକି ଯାଇଥିବାବେଳେ ପଲସ୍ତରା ମଧ୍ୟ ଖସି ଯାଇଛି । ସ୍ଥିତି ଏମିତି ହୋଇଛି ଯେ କିଛି ଦିନ ଭିତରେ ମରାମତି କରାନଗଲେ ଛତ୍ରୀ ଗଳି ପଡିବାର ଆଶଙ୍କା ପ୍ରକାଶ ପାଇଛି । ଫନୀ ମହାବାତ୍ୟାର ଧକ୍କା ସହିବା ପରେ ସ୍ତୁପ ଧୀରେ ଧୀରେ ବିପଦସଂକୁଳ ଅବସ୍ଥାକୁ ଠେଲି ହୋଇଯାଇଛି । ତେଣୁ ଶାନ୍ତିସ୍ତୁପର ରକ୍ଷଣାବେକ୍ଷଣ ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି ।
ସୂଚନାନୁଯାୟୀ ଫନି ବାତ୍ୟାରେ ଶାନ୍ତିସ୍ତୁପ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ୧୫୦ ଫୁଟ ବିଶିଷ୍ଟ ସମଗ୍ର ଶାନ୍ତିସ୍ତୁପର ବିଭିନ୍ନ ସ୍ଥାନରୁ ପଲସ୍ତରା ଛାଡ଼ିଗଲାଣି । ଠାଏ ଠାଏ କଂକ୍ରିଟ ଖଣ୍ଡ ଖସିପଡ଼ିଲାଣି । ଅଗ୍ରଭାଗରେ ଥିବା ୫ଟି ଛତ୍ରି ସ୍ଥାନ ସମେତ ମଧ୍ୟଭାଗ ଗମ୍ବୁଜର ବିଭିନ୍ନ ସ୍ଥାନରୁ ପଲସ୍ତରା ଖସିଯାଇଛି । ଅନେକ ସ୍ଥାନରେ ଗାର ଗାର ହୋଇ ଚନକିଲା ଭଳି ଫାଟ ଦେଖାଯାଇଛି । କଂକ୍ରିଟ ଛାଡିଯାଇଥିବାରୁ ସେଥିରେ ଛୋଟବଡ଼ ଗର୍ତ୍ତ ଦେଖିବାକୁ ମିଳୁଛି ।ଯଦି ଏବେଠାରୁ ଏହାର ମରାମତି ନ କରାଯାଏ ତେବେ ଭବିଷ୍ୟତରେ ଶାନ୍ତିସ୍ତୁପ ଅଧିକ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଅଛି ।