ସନ୍ଷ୍ଟାର ଟିଭି ବ୍ୟୁରୋ
ପାଟନା : ବିହାରରେ ନୀତୀଶଙ୍କ ନୂଆ ସରକାର ଗଠନ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏନଡିଏ ସରକାରରେ ନୀତିଶଙ୍କ ଡେପୁଟି ବା ଉପମୁଖ୍ୟମନ୍ତ୍ରୀ ରହି ଆସିଥିବା ବିଜେପି ନେତା ସୁଶୀଲ କୁମାର ମୋଦୀଙ୍କୁ ଆଉ ରାଜ୍ୟରେ ରଖିବାକୁ ଚାହୁନି ବିଜେପି। ତାଙ୍କ ସ୍ଥାନରେ ବିଜେପିର ଦଳିତ ନେତା କାମେଶ୍ବର ଚୌପାଲଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାକୁ ଯୋଜନା କରିଛି। କିନ୍ତୁ ନୀତିଶ ଏଥିରେ ଅରାଜି ଥିବା ଜଣା ପଡିଛି । ସେ କୌଣସି ପରିସ୍ଥିତିରେ ସୁଶୀଲଙ୍କୁ ଛାଡ଼ିବାକୁ ଚାହୁ ନାହାନ୍ତି। ସୁଶୀଲ ରାଜ୍ୟରେ ଅର୍ଥ ମନ୍ତ୍ରୀ ଭାବେ ଭଲ କାମ କରିଥିବାରୁ ନୀତିଶଙ୍କ ତାଙ୍କୁ ଛାଡ଼ିବାକୁ ଚାହାନ୍ତି ନାହିଁ। ଏସଂପର୍କରେ ନୀତିଶ ଓ ବିଜେପି ନେତାମାନଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଛି । ରାଜ୍ୟରେ କେଉଁ ବିଜେପି ନେତା ଉପମୁଖ୍ୟମନ୍ତ୍ରୀ ହେବେ ତାହା ବିଜେପି ଉପରେ ନିର୍ଭର କରୁଛି । କିନ୍ତୁ ବିଜେପି ନୀତିଶଙ୍କୁ ମଧ୍ୟ ଅସନ୍ତୁଷ୍ଟ କରିବାକୁ ଚାହୁନାହିଁ।
ମିଳିଥିବା ରିପୋର୍ଟ ଅନୁଯାୟୀ ଚୌପାଲଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାକୁ ଦଳ ଭିତରେ ପ୍ରବଳ ଚାପ ପଡ଼ୁଛି। ରାଜ୍ୟରେ ବିଜେପି ତାଙ୍କୁ ଉପମୁଖ୍ୟମନ୍ତ୍ରୀ କରି ଦଳିତ ଭୋଟ ବ୍ୟାଙ୍କକୁ ମଜବୁତ କରିବାକୁ ଚାହୁଛି। ଅନ୍ୟପକ୍ଷରେ ସୁଶୀଲଙ୍କୁ ରାଜ୍ୟସଭା ପଠାଇବାକୁ ଯୋଜନା କରୁଛି। ରାମବିଳାସ ପାଶ୍ବାନଙ୍କ ପରଲୋକ ପରେ ରାଜ୍ୟସଭା ପାଇଁ ଖାଲି ପଡ଼ିଥିବା ଆସନରୁ ସୁଶୀଲଙ୍କୁ ପ୍ରାର୍ଥୀ କରାଯାଇପାରେ। କିନ୍ତୁ ଏସଂପର୍କରେ କିଛି ଚୂଡାନ୍ତ ନିଷ୍ପତ୍ତି ହୋଇନାହିଁ।