ସନ୍ଷ୍ଟାର ଟିଭି ବ୍ୟୁରୋ
ଆଜି ଅନ୍ଧକାର ଉପରେ ବିଜୟ ହାସଲର ପର୍ବ ଦୀପାବଳି । ଏହି ଅବସରରେ ଦୀପ ଆଲୁଅରେ ଝଲସିଛି ରାମଙ୍କ ନଗରୀ ଅଯୋଧ୍ୟା । ଉତ୍ତରପ୍ରଦେଶର ଅଯୋଧ୍ୟା ସହରରୁ ନେଇ ରାମ ଜନ୍ମଭୂମୀ ଚାରିଆଡେ ଆଲୋକମୟ । ତେବେ ସରଜୁ ନଦୀର ୨୮ଟି ଘାଟରେ ଜଳୁଛି ମୋଟ ୫ ଲକ୍ଷ ୮୪ ହଜାରରୁ ଅଧିକ ଦୀପ । ଯାହାକି ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି । ୫ ଲକ୍ଷରୁ ଅଧିକ ସଂଖ୍ୟାରେ ସାମୂହିକ ଦୀପ ପ୍ରଜ୍ୱଳନରେ ଝଲସି ଉଠିଛି ପୁରା ଅଯୋଧ୍ୟା ନଗରୀ । ଦୀପର ଆଲୋକ ସହିତ ରଙ୍ଗ ବେରଙ୍ଗର ଆଲୋକରେ ଉତ୍ସବ ମୁଖର ହୋଇଉଠିଛି ଅଯୋଧ୍ୟା ନଗରୀ । ସତେ ଯେପରି ସ୍ବୟଂ ରାମ ସୀତାଙ୍କ ଆଗମନ ହେଉଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାମଙ୍କ ଦରବାରରେ ପ୍ରଥମ ଦୀପ ଲଗାଇ ଦୀପତ୍ସୋବ କାର୍ଯ୍ୟକ୍ରମର ଶୁଭାରମ୍ଭ ପରେ ଜଳି ଉଠିଥିଲା ୫ ଲକ୍ଷ ୮୪ ହଜାର ଦୀପ । ସରଜୁ ନଦୀର ତଟରୁ ନେଇ ଅଯୋଧ୍ୟା ନଗରୀ ଯାଏଁ ଲମ୍ବିଛି ଏହି ଦୀପର ଆଲୋକମାଳା । ଡ୍ରୋନ୍ ଜରିଆରେ ଏହି ଦୀପକୁ ଗଣନା କରାଯିବା ପରେ ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ଏହାକୁ ସ୍ଥାନ ଦିଆଯାଇଥିବା ସୂଚନା ମିଳିଛି ।
ଅଯୋଧ୍ୟା ସରଜୁ ନଦୀ କୂଳରେ ଯୋଗୀ ଆଦିତ୍ୟନାଥ ଆଳତି କରିବା ପରେ, ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଦିୱାଲୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଭକ୍ତମାନେ । ଏହି ଅବସରରେ ଆକାଶ ମାର୍ଗରୁ ଅଯୋଧ୍ୟାର ଦୃଶ୍ୟ ବେଶ୍ ମନୋରମ ଦିଶୁଛି । ସୁନ୍ଦର ଆଲୋକମାଳା ସହିତ ୫ ଲକ୍ଷରୁ ଅଧିକ ଜଳୁଥିବା ଦୀପର ଆଲୋକ ସୃଷ୍ଟି କରୁଥିଲା ଅପୂର୍ବ ଶୋଭା ।
ଗତବର୍ଷ ଦୀପାବଳୀ ଅବସରରେ ଏଠାରେ ପ୍ରଭୁ ଶ୍ରୀରାମଙ୍କ ଉଦେଶ୍ୟରେ ୪ ଲକ୍ଷ ୧୦ ହଜାର ଦୀପ ପ୍ରଜ୍ୱଳିତ କରାଯାଇଥିଲା । ଦୀପାବଳୀରେ ୭୯୧ ପୌରାଣିକ ସ୍ଥଳ ସମେତ ଘର ଓ କାର୍ଯ୍ୟାଳୟରେ ଏହି ଲକ୍ଷାଧିକ ସଂଖ୍ୟକ ଦୀପ ଜଳାଯାଉଛି । ୩ ଦିନ ଧରି ଏହି ଦୀପୋତ୍ସବ କାର୍ଯ୍ୟକ୍ରମ ଜାରି ରହିବ । ଏହି ଉତ୍ସବକୁ ସଫଳ କରିବାକୁ ପ୍ରାୟ ୮ ହଜାର ସ୍ୱେଛାସେବୀ ନିୟୋଜିତ ହୋଇଛନ୍ତି ।