ସନ୍ଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: ପ୍ରକାଶ ଝାଙ୍କ ଚର୍ଚ୍ଚିତ ୱେବ୍ ସିରିଜ୍ ‘ଆଶ୍ରମ’ ଦୀର୍ଘ ଦିନରୁ ବିବାଦରେ ରହିଥିବା ବେଳେ ବର୍ତ୍ତମାନ ‘ଆଶ୍ରମ-୨’କୁ ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଛି । ଏହା ସନାତନ ଧର୍ମ ସହ ସମ୍ପୃକ୍ତ ଧାର୍ମିକ ଭାବନାକୁ ଆହତ କରିବା ଭଳି ଦୃଶ୍ୟ ସୁଟ୍ କରିବା ମାମଲାରେ ପ୍ରକାଶ ଝା ଓ ବବି ଦେଓଲଙ୍କ ବିରୋଧରେ ଜୋନ୍ପୁରରେ ଏକ ମାମଲା ରୁଜୁ ହୋଇଛି । ହିମାଂଶୁ ଶ୍ରୀବାସ୍ତବ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ ଏହି ସିରିଜ୍ ଜରିଆରେ ସନାତନ ଧର୍ମକୁ ବଦ୍ନାମ କରାଯିବା ସହ ଏକାଧିକ ସିନ୍ରେ ସନାତନ ଧର୍ମର ଧାର୍ମିକ ଭାବନାକୁ ଆଘାତ ଦିଆ ଯାଇଛି । ସେ କହିଛନ୍ତି ଯେ ସନାତନ ଧର୍ମରେ ତାଙ୍କର ଗଭୀର ଆସ୍ଥା ଓ ବିଶ୍ୱାସ ରହିଛି ଏବଂ ପିଲା ଦିନୁ ସେ ହିନ୍ଦୁ ଗ୍ରନ୍ଥ ବିଷୟରେ ଅଧ୍ୟୟନ କରିଆସୁଛନ୍ତି । ‘ଆଶ୍ରମ୨’ରେ କାଶିପୁର ବାବା ନିରାଲାଙ୍କ ଭୂମିକା ନିର୍ବାହ କରିଛନ୍ତି ବଲିଉଡ୍ ଅଭିନେତା ବବି ଦେଓଲ । ଶୋ’ ବିରୋଧରେ ଅଭିଯୋଗ ହୋଇଛି ଯେ, ଜାଣିଶୁଣି ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ପାଇଁ ଶୋ’ର ନାମ ‘ଆଶ୍ରମ’ ଦିଆଯାଇଛି । ହିମାଂଶୁ ନ୍ୟାୟ ହିତ ଓ ଦେଶ ହିତରେ ଦୋଷୀଙ୍କ ବିରୋଧରେ ମକଦ୍ଦମା କରି କୋର୍ଟରେ ନ୍ୟାୟ ଦାବି କରିଛନ୍ତି ।
‘ଆଶ୍ରମ-୨’ର କାହାଣୀ ଡ୍ରଗ୍ସ, ଦୁଷ୍କର୍ମ, ନରସଂହାର ଓ ରାଜନୀତିକୁ ନେଇ ଗତିଶୀଳ । କିଛି ଦିନ ପୂର୍ବରୁ କରଣୀ ସେନା ମଧ୍ୟ ଶୋ’ର ନିର୍ମାତା-ନିର୍ଦ୍ଦେଶକ ପ୍ରକାଶ ଝାଙ୍କୁ ନୋଟିସ୍ ପଠାଇଥିଲା । ସିରିଜ୍ର ବିଷୟ ବସ୍ତୁକୁ ନେଇ କରଣୀ ସେନା ଅଭିଯୋଗ କରିଥିଲା ଯେ ଏଥିରେ ହିନ୍ଦୁ ସଭ୍ୟତାକୁ ବଦ୍ନାମ କରାଯାଉଛି । ଶୋ’ ଜରିଆରେ ଦେଶର ସମସ୍ତ ସାଧୁ-ସନ୍ଥଙ୍କୁ ବଦ୍ନାମ କରିବା ସହିତ ସେମାନଙ୍କ ଛବି ଖରାପ କରିବାକୁ ଚେଷ୍ଟା କରାଯାଉଛି ।