ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ନାସା ହ୍ୟୁମାନ ଏକ୍ସପ୍ଲୋରେସନ୍ ରୋଭର ଚାଲେଞ୍ ୨୦୨୧ ରେ ଭାଗ ନେବେ ଓଡିଶାର ଛାତ୍ରଛାତ୍ରୀ। ପ୍ରଥମ ଥର ପାଇଁ ଦେଶର ସ୍କୁଲ ଛାତ୍ରଛାତ୍ରୀ ନାସାର ଏହି ରୋଭର ଚ୍ୟାଲେଞ୍ଜରେ ଭାଗ ନେବାକୁ ଯାଉଛନ୍ତି।
ଭାରତ ପାଇଁ ପ୍ରତିନିଧିତ୍ୱ କରିବେ ଓଡ଼ିଶାର ଏହି ଟିମ୍। ନାଭୋନ୍ମେସ ପ୍ରସାର ଫାଉଣ୍ଡେସନର ପ୍ରତିଷ୍ଠାତା ଅନୀଲ ପ୍ରଧାନ କହିଛନ୍ତି ପ୍ରଥମ ଥର ପାଇଁ ଦେଶର ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରତିଯୋଗିତା କରାଯାଉଛି । ନାଭୋନ୍ମେସ ପ୍ରସାର ଫାଉଣ୍ଡେସନ ରାଜ୍ୟର ବଛାବଛା ୧୦ ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମନୋନୀତ କରି ଏହି ଟିମ ଗଠନ କରିଛନ୍ତି ।
ଏହି ଟିମ୍ରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ସହ ଆଇଟିଆଇ ଛାତ୍ରଛାତ୍ରୀ ମଧ୍ୟ ଅଛନ୍ତି। କେବଳ ଭୁବନେଶ୍ୱର ନୁହେଁ ଉପାନ୍ତ ମାଲକାନଗିରିର ଛାତ୍ରଛାତ୍ରୀ ବି ଏଥିରେ ସାମିଲ ହୋଇଛନ୍ତି। ଏହି ୧୦ ଜଣ ଛାତ୍ରଛାତ୍ରୀ ମଙ୍ଗଳ ଗ୍ରହରେ ପରିଭମ୍ରଣ କରିପାରୁଥିବା ଏକ ହ୍ୟୁମାନ୍ ରୋଭର ପ୍ରସ୍ତୁତ କରିବେ। ଯାହାକୁ ନାସାର ମୁଖ୍ୟାଳୟକୁ ପଠାଯିବ। ୪ରୁ ୫ ମାସ ଭିତରେ ଏହି ରୋଭର ପ୍ରସ୍ତୁତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ଛାତ୍ରଛାତ୍ରୀ ।
ଆସନ୍ତା ବର୍ଷ ଏପ୍ରିଲ ମାସରେ ଏହି ପ୍ରତିଯୋଗିତା ହେବ। ବିଶ୍ୱର ବିଭିନ୍ନ ଦେଶରୁ ଆସିଥିବା ଅନେକ ଟିମ୍ ଏଥିରେ ଭାଗ ନେବେ। ତେବେ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ ଓଡ଼ିଶାର ଏହି ୧୦ ଜଣିଆ ଟିମ୍। ଏଥିଲାଗି ଛାତ୍ରଛାତ୍ରୀମାନେ ବେଶ୍ ଉତ୍ସାହିତ ଅଛନ୍ତି। ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ରାଜ୍ୟବାସୀଙ୍କ ସହଯୋଗ ଲୋଡ଼ିଛନ୍ତି ସଂସ୍ଥାର ମୁଖ୍ୟ।