ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ବୈଠକରେ ୧୮ ପ୍ରସ୍ତାବ ଉପରେ ବାଜିଛି କ୍ୟାବିନେଟ ମୋହର । ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଯୋଗେ ବୈଠକରେ ସାମିଲ ହୋଇଥିଲେ । ମନ୍ତ୍ରୀମାନେ ସଚିବାଳୟ ଓ ଜିଲ୍ଲା ହେଡକ୍ୱାର୍ଟରରୁ ଭିସି ଯୋଗେ ଯୋଡି ହୋଇଛନ୍ତି । ସେପଟେ ମନ୍ତ୍ରୀ ପରିଷଦ ବୈଠକରେ ୨୦୨୦-୨୧ ବର୍ଷ ପାଇଁ ଅତିରିକ୍ତ ବଜେଟକୁ ମଂଜୁରୀ ମିଳିଛି । ଅତିରିକ୍ତ ବଜେଟ୍ ପାଇଁ ୧୧ହଜାର ୨ଶହ କୋଟି ଟଙ୍କା ମଞ୍ଜୁରୀ କରାଯାଇଛି । ଆସନ୍ତା ୨୦ ତାରିଖରେ ବିଧାନସଭାରେ ଆଗତ ହେବ ବଜେଟ୍ । ରାଜ୍ୟ ଅର୍ଥମନ୍ତ୍ରୀ ନୀରଞ୍ଜନ ପୂଜାରୀ ବଜେଟ୍ ଆଗତ କରିବେ ।
ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ୨୦୨୦-୨୧ ବର୍ଷରେ ୪୮ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ସଂଗ୍ରହ କରାଯିବ । ୮.୩୭ ଏକର ଜମି ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର ହେବ । ଶ୍ରୀ ସେତୁ ଓ ଜଗନ୍ନାଥ ବଲ୍ଲଭ ମାର୍କେଟ କମ୍ପଲେକ୍ସ ନିର୍ମାଣ ପାଇଁ ଏହି ଜମି ବ୍ୟବହାର କରାଯିବ । ଏଥିପାଇଁ ୪୬୧ କୋଟି ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ଓଡ଼ିଶା ଡ଼ାକ୍ତରୀ ସେବା ନିୟମାବଳୀ-୨୦୧୭ରେ ପରିବର୍ତ୍ତନ କରାଯିବ । ଓଡିଶା ବେସାମରିକ ସେବା ନିୟମାବଳୀ-୧୯୯୨ରେ ସଂଶୋଧନ କରାଯିବ । ଆଗାମୀ ବିଧାନସଭା ଶୀତ ଅଧିବେଶନକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଚଳିତ ଆର୍ଥିକ ବର୍ଷରେ ଗ୍ରିଡକୋ ସପକ୍ଷରେ ୨୬ ଶହ କୋଟି ଟଙ୍କାର ଋଣ ପାଇଁ ଗ୍ୟାରେଣ୍ଟି ପ୍ରଦାନ ପାଇଁ ମଞ୍ଜୁରୀ ମିଳିଛି । ଓଡିଶାର ସରକାରୀ ଯାନ୍ତ୍ରିକ ବିଦ୍ୟାଳୟର ନିଯୁକ୍ତି ଲାବୋରଟୋରୀ ସହାୟକଙ୍କର ନିଯୁକ୍ତ ପ୍ରଣାଳୀ ଓ ଚାକିରି ସର୍ତ୍ତାବଳୀକୁ ଆହୁରି ସୁବ୍ୟବସ୍ଥିତ କରାଯିବ । ଏହା ପାଇଁ ପଲିଟେକ୍ନିକର ଲାବୋରଟୋରୀ ସହାୟକ ନିୟମ,୨୦୨୦ର ପ୍ରଣୟନ କରାଯିବ । ଏହା ଦ୍ୱାରା ଏମାନଙ୍କୁ କ୍ୟାଡରରେ ପଦୋନ୍ନତିର ସୁଯୋଗ ସୃଷ୍ଟି ହେବ ।