ସନ୍ଷ୍ଟାର ଟିଭି ବ୍ୟୁରୋ
କୋଭିଡ୍ ମହାମାରୀର ସଂକ୍ରମଣ ସତ୍ତ୍ବେ ରାଜ୍ୟରେ ରାଜସ୍ବ ଆଦାୟ ବୃଦ୍ଧି ଘଟିଛି । ୨୦୨୦ ଅକ୍ଟୋବର ଶେଷ ସୁଦ୍ଧା ୨.୨୭ ପ୍ରତିଶତ ରାଜସ୍ବ ଆଦାୟ ବୃଦ୍ଧି ଘଟିଛି , ଯାହା ଗତ ବର୍ଷ ତୁଳନାରେ ଅଧିକ । ମଙ୍ଗଳବାର ଲୋକସଭାଠାରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ସଚିବସ୍ତରୀୟ ବୈଠକରେ ଏହି ସୂଚନା ଦିଆଯାଇଛି ।
ସୂଚନା ଅନୁଯାୟୀ ଜଣାପଡିଛି ଯେ, ୨୦୨୦ ଅକ୍ଟୋବର ଶେଷ ସୁଦ୍ଧା ରାଜସ୍ବ ଟିକସ ଓ ଅଣ ଟିକସ କ୍ଷେତ୍ରରେ ୨.୨୭ ପ୍ରତିଶତ ବୃଦ୍ଧି ପାଇଛି । ୨୦୧୯ ଅକ୍ଟୋବର ଶେଷ ସୁଦ୍ଧା ୨୫୦୦୨.୮୪ କୋଟି ଆଦାୟ ହୋଇଥିବା ବେଳେ ଚଳିତ ବର୍ଷ ରାଜସ୍ବ ଆଦାୟ ୨୫୫୭୧.୪୩ କୋଟି ହୋଇଥିବା ଜଣା ପଡିଛି । ଚଳିତ ବର୍ଷରେ ଅଣଟିକସ ଅଭିବୃଦ୍ଧି ୨୩.୪୧ ପ୍ରତିଶତ ରହିଛି । କରୋନା କାଳର ଲକଡାଉନ ଓ ସଟଡାଉନ ମଧ୍ୟରେ ଅକ୍ଟୋବର ଶେଷ ସୁଦ୍ଧା ୫୧ହଜାର କୋଟି ବ୍ୟୟ କରାଯାଇଛି । ଏଥି ମଧ୍ୟରୁ ୨୬ହଜାର କୋଟି ସାମାଜିକ କ୍ଷେତ୍ରରେ ବିନିଯୋଗ ହୋଇଥିବା ବୈଠକରୁ ଜଣାପଡିଛି ।
ଅର୍ଥ ବିଭାଗର ସଚିବ ଅଶୋକ କୁମାର ମୀନା ବିଭିନ୍ନ ବିଭାଗର ଆର୍ଥିକ ପରିଚାଲନାର ସମୀକ୍ଷା କରିଥିଲେ । ଆସନ୍ତା ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ ପ୍ରସ୍ତୁତି ଶେଷ ସୁଦ୍ଧା ସମାପ୍ତି କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ଅସିତ କୁମାର ପାତ୍ର । ଜୀବନ ଜୀବିକା ଓ ଭିତ୍ତିଭୂମି ଉପରେ ବିଶେଷ କରି ଗୁରୁତ୍ବ ଦେବାକୁ କହିଛନ୍ତି ।