ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: କରୋନା କାଳରେ ବେସରକାରୀ ସ୍କୁଲ ଫି ଛାଡ ପ୍ରସଙ୍ଗକୁ ନେଇ ନିଷ୍ପତି ସ୍ପଷ୍ଟ କରିବାକୁ ସରକାରଙ୍କୁ କହିଥିଲେ ହାଇକୋର୍ଟ । କୋର୍ଟଙ୍କ ପକ୍ଷରୁ ଏ ନେଇ ସ୍ପଷ୍ଟ ମତ ରଖିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଆଜି ଏ ନେଇ ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି ରାଜ୍ୟ ସରକାର। ବେସରକାରୀ ସ୍କୁଲ ଫି ଛାଡ କରିବା ପ୍ରସଙ୍ଗକୁ ନେଇ ହାଇକୋର୍ଟଙ୍କ ଉପରେ ନିଷ୍ପତ୍ତି ନେବା ଦାୟିତ୍ବ ଛାଡ଼ିଛନ୍ତି ରାଜ୍ୟ ସରକାର। ଆସନ୍ତା ୨୩ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି।
କରୋନା ସମୟରେ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ହେଲେ ବେସରକାରୀ ସ୍କୁଲ ଗୁଡ଼ିକ ପିଲାମାନଙ୍କଠାରୁ ମାସିକ ଦେୟ ଆଦାୟ କରିବାରେ ଲାଗିଛନ୍ତି । ଏହିଭଳି ପରିସ୍ଥିତିରେ ଲୋକଙ୍କ ଆର୍ଥିକ ପରିସ୍ଥତି ସୁଦୃଢ ନଥିବାବେଳେ ପିଲାଙ୍କ ସ୍କୁଲ ଫି ବୋଝ ଉପରେ ଲଳିତ ବିଡ଼ା ସଦୃଶ ଅଭିଭାବକ ମାନଙ୍କ ଚିନ୍ତା ମାଡ଼ିବସିଛି । ଏହାକୁ ବିରୋଧ କରି ଅବିଭାବକ ସଂଘ ସ୍କୁଲ ଫି ଛାଡ କରିବାକୁ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେମାନେ ଅଭିଯୋଗ କରିଥିଲେ ଯେ, ପିଲା ଯେତେବେଳେ ସ୍କୁଲ ଯାଉ ନାହାନ୍ତି ତ ଅବିଭାବକମାନେ କାହିଁକି ମାସିକ ଦେୟ ଦେବେ । ଏ ନେଇ ରାଜ୍ୟସରକାରଙ୍କର କିଛି ସ୍ୱତନ୍ତ୍ର ଗାଇଡଲାଇନ ନ ଥିବା ବେଳେ ବେସରକାରୀ ସ୍କୁଲ ସଂଘ କହିଥିଲା ଯେ, ପିଲା ସ୍କୁଲକୁ ନଆସିଲେ ବି କର୍ମଚାରୀମାନେ ଦରମା ନେଉଛନ୍ତି । ଏହା ସହ ଆମେ ପିଲାମାନଙ୍କୁ ଅନଲାଇନ୍ ମାଧ୍ୟମରେ ଶିକ୍ଷାଦାନ ଦେଇ ଚାଲିଛୁ । ତେଣୁ ଅବିଭାବକମାନେ ମାସିକ ଦେୟ ଦେବାକୁ ବାଧ୍ୟ।