ସନଷ୍ଟାର ଟିଭି ବ୍ୟୁରୋ
୨୦୧୬ ମସିହାରେ ନଭେମ୍ବର ୮ରେ କେନ୍ଦ୍ର ସରକାରଙ୍କ ଦ୍ବାରା ବିମୁଦ୍ରୀକରଣ ଘୋଷଣା କରାଯାଇଥିବା ଯୋଗୁଁ ୫୦୦ ଟଙ୍କା ଓ ୧୦୦୦ ଟଙ୍କା ଗୁଡ଼ିକୁ ଅଚଳ କରାଯାଇଥିଲା । କଳାଟଙ୍କା, ବୋଆଇନ୍ କାର୍ଯ୍ୟ ଓ ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିବା ପାଇଁ ଭାରତ ସରକାରଙ୍କ ଦ୍ବାରା ଏହିଭଳି ପଦକ୍ଷେପ ନିଆଯାଇଥିଲା । ଯଦ୍ବାରା ଭାରତୀୟ ଅର୍ଥ ବ୍ୟବସ୍ଥା ସଙ୍କଟ ସ୍ଥିତିକୁ ଚାଲିଗଲା କହିଲେ କିଛି ଭୁଲ ହେବ ନାହିଁ । ଏହାପରେ ନୂଆ ୫୦୦ଟଙ୍କା ଓ ୨୦୦୦ ଟଙ୍କା ସହ ଅନେକ ନୂଆ ନୋଟ ମଧ୍ୟ ଛଡ଼ାଗଲା । ସୂଚନାଯୋଗ୍ୟ ଯେ, ଦେଶର ଅର୍ଥ ବ୍ୟବସ୍ଥାକୁ ଯେଉଁ କ୍ଷତି ସହିବାକୁ ପଡ଼ିଲା ତାର ଭରଣ ଆଜି ଯାଏ ହୋଇପାରିନାହିଁ । ପୁଞି ବଜାର କ୍ଷେତ୍ରରେ ତଥା ପରିବହନ କ୍ଷେତ୍ରରେ ଓ ଶିଳ୍ପ ଉତ୍ପାଦନ କ୍ଷେତ୍ରରେ ଦେଶକୁ ଅନେକ କ୍ଷତି ସହିବାକୁ ପଡ଼ିଛି ।
ରିଜର୍ଭ ବ୍ୟାଙ୍କ ଦେଇଥିବା ତଥ୍ୟ ଅନୁସାରେ ୨୦୧୮ରେ ୧୫.୩୦ ଲକ୍ଷ କୋଟି ଅଚଳ ନୋଟ୍ ବ୍ୟାଙ୍କକୁ ଫେରିଆସିଛି । ଯାହାକି ବଜାରରେ ପ୍ରଚଳିତ ଟଙ୍କା ମଧ୍ୟରୁ ଏହା ପ୍ରାୟ ୯୯.୩ ପ୍ରତିଶତ ଥିଲା । ମାତ୍ର ୧୦,୨୭୦ ଟଙ୍କା ବ୍ୟାଙ୍କୁ ଫେରିପାରିଲା ନାହିଁ । ତେବେ ସରକାରଙ୍କ କହିବା ଅନୁଯାୟୀ ବଜାରରେ ପଡ଼ିରହିଥିବା କଳା ଟଙ୍କା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ବଜାର ବିଶେଷଜ୍ଞ । ଏବଂ ଏହାର ଉତ୍ତର ଆଜି ଯାଏ ଦେଇପାରି ନାହାଁନ୍ତି ସରକାର । ଜାଲ ନୋଟ ଏବଂ କଳା ଟଙ୍କା କାରବାର ଉପରେ ବର୍ତମାନ ସୁଦ୍ଧା ସମ୍ପୁର୍ଣ୍ଣ କଟକଣା ଲାଗିପାରି ନାହିଁ ।
ବିମୁଦ୍ରୀକରଣ ପରେ ପରେ ହଠାତ୍ କେନ୍ଦ୍ର ସରକାର ତରବରିଆ ଭାବେ ଜିଏସ୍ଟି ନୀତି ଆପଣାଇବା ଦ୍ବାରା ଘରୋଇ ବଜାର ଉପରେ ଅନେକ ପ୍ରଭାବ ପଡ଼ିଛି । ବାସ୍ତବରେ କହିବାକୁ ଗଲେ, ୨୦୧୯ ପରଠାରୁ ଦେଶର ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରୁଛି । ବିମୁଦ୍ରୀକରଣକୁ ୪ ବର୍ଷ ପୂରିଲେ ବି ବର୍ତମାନ ସୁଦ୍ଧା ଭାରତ ଏହାର କ୍ଷତି ସହୁଛି । ତେବେ ବିମୁଦ୍ରୀକରଣ ଯୋଗୁଁ କେତେ ଯେ ଲାଭ ମିଳିଛି ତାର ଉତ୍ତର କେବଳ ସରକାର ହିଁ ଦେଇପାରିବେ ।