ସନଷ୍ଟାର ଟିଭି ବ୍ୟୁରୋ
ଘଣ୍ଟେଶ୍ବରୀ ମନ୍ଦିର ଓଡିଶାର ଏକ ପ୍ରସିଦ୍ଧ ପୂଜା ପୀଠ ଭାବେ ପରିଗଣିତ । ସମ୍ବଲପୁର ଜିଲ୍ଲାଠାରୁ ୩୩ କି.ମି ଦୂରରେ ସମ୍ବଲପୁରର ଦକ୍ଷିଣ-ପଶ୍ଚିମ ଦିଗର ଚିପଲିମା ଠାରେ ଅବସ୍ଥିତ । ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପରିବେଶ ଓ ମହାନଦୀ କୂଳରେ ଏହାର ଅବସ୍ଥାନ ବେଶ୍ ମନଲୋଭା । ଚାରିଆଡେ ଘଣ୍ଟ ପରିପୂର୍ଣ୍ଣ ହୋଇ ରହିଥିବା ଯୋଗୁଁ ଏହାର ସୌନ୍ଦର୍ଯ୍ୟ ଦ୍ବିଗୁଣିତ ହୋଇଯାଏ, ଯେପରି ଏହାର ନାମ ସୂଚିତ କରେ । ବିଶ୍ବାସ ଅଛି ଯେ ଲୋକଙ୍କ ମନସ୍କାମନା ପୂରଣ ହେବାପରେ ମାଙ୍କୁ ଆସି ଘଣ୍ଟ ପ୍ରଦାନ କରିଥାନ୍ତି । ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତିଦିନ ହଜାର ହଜାର ତୀର୍ଥଯାତ୍ରୀ ଏଠାକୁ ଆସିଥାନ୍ତି ।
ଏଠାକୁ ଶୀତଦିନେ ଅନେକ ଲୋକ ପିକନିକ ମଧ୍ୟ ଆସନ୍ତି । ଓଡିଶାର ଏହା ଏକ ମାତ୍ର ସ୍ଥାନ, ଯେଉଁଠି ଚାରିଆଡେ ହଜାର ହଜାର ଘଣ୍ଟ ଝୁଲୁଥିବାର ଦେଖିବାକୁ ମିଳେ । ଏହାପୂର୍ବରୁ ଏହି ସ୍ଥାନରେ ଏକ ବଡ଼ ଘଣ୍ଟ ରହିଥିଲା ଏବଂ ପବନ ସାହାଯ୍ୟରେ ଏମାନେ ଅନେକ ପ୍ରକାରର ଧ୍ବନୀ ସୃଷ୍ଟି କରୁଥିଲେ । ଏହି ସ୍ଥାନରେ ପ୍ରବାହିତ ମହାନଦୀରେ ତିନୋଟି ସ୍ରୋତର ମିଶ୍ରଣ ହୋଇଥିବାରୁ ଏଠାରେ ଥିବା ଜଳପ୍ରବାହ ଏକ ଘୂର୍ଣ୍ଣିବାତ୍ୟା ସୃଷ୍ଟିକରେ, ଯାହାକି ବେଶ୍ ଚମତ୍କାର ହୋଇଥାଏ ।
ଘଣ୍ଟେଶ୍ବରୀ ମନ୍ଦିରକୁ ସମସ୍ତ ପ୍ରକାରର ଯୋଗାଯୋଗର ସୁବିଧା ରହିଅଛି । ଟ୍ରେନ୍ ଯୋଗେ ହିରାକୁଦ ଷ୍ଟେସନରୁ ଚିପଲିମା ଯାଇହେବ । ଵସ୍ ଯୋଗେ ସମ୍ବଲପୁରରୁ ବାହାରି ବରଗଡ଼-ସମ୍ବଲପୁର ରୋଡ଼ ଦେଇ ଗୋଶାଲା ଯିବାକୁ ହେବ । ଗୋଶାଲାରୁ ବାମପାର୍ଶ୍ବ ଦେଇ ଚିପଲିମା ଯିବାକୁ ହେବ । ଚିପଲିମାରେ ଘଣ୍ଟେଶ୍ବରୀ ମନ୍ଦିର ଅବସ୍ଥିତ ।
ଖରାଦିନେ ଏହାର ଜଳସ୍ଥର କମିଯାଏ ତେଣୁ ଏଠାକୁ ବର୍ଷା ଓ ଶୀତଦିନେ ଗଲେ ପର୍ଯ୍ୟଟକ ଏହାର ଲାଭ ଉଠାଇପାରିବେ ।