ସନଷ୍ଟାର ଟିଭି ବ୍ୟୁରୋ
କଟକ : ଆଜିଯାଏଁ ଥମିନାହିଁ ବର୍ଷା ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲା । ଏପଟେ ବର୍ଷାଙ୍କ ନାଁରେ ଅଭିଯୋଗ ପାଇଁ କଟକ ପୁରୀଘାଟ ଥାନାର ଦ୍ବାରସ୍ଥ ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତିଙ୍କ ମା’ ମଧୁସ୍ମିତା ମହାନ୍ତି । ଘର ମରାମତି ପାଇଁ ସେ ବର୍ଷାଙ୍କୁ ୧୦ଦିନ ପାଇଁ ଘର ଛାଡିବାକୁ କହିଥିଲେ । ହେଲେ ବର୍ଷା ଘର ଛାଡି ଯିବାକୁ ନାରାଜ ।
୬୦ ବର୍ଷର ପୁରୁଣା ଘରକୁ ମରାମତି କରିବା ପାଇଁ, ବର୍ଷାଙ୍କୁ ତାଙ୍କ କଟକ ବକ୍ସିବଜାର ସ୍ଥିତ ବାପ ଘରକୁ ଯିବାକୁ କହିଥିଲେ ଅନୁଭବଙ୍କ ମା’। ଅନ୍ୟପଟେ ବର୍ଷା ପାଲଟା ଅଭିଯୋଗ କରି କହିଛନ୍ତି, ଜାଣିଶୁଣି ଘର ମରାମତି ବାହାନାରେ ମତେ ଘରୁ ତଡ଼ିଦେବାକୁ ଚେଷ୍ଟା କରାଯାଉଛି ।
ସୂଚନାଯୋଗ୍ୟ ଓଲିଉଡ୍ ଜଗତର ଚର୍ଚ୍ଚିତ ଷ୍ଟାର୍ ଦମ୍ପତି ସାଂସଦ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲା ଦେଶର ସର୍ବୋଚ୍ଚ ଅଦାଲତରେ ପହଞ୍ଚିଛି । ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଅନୁଭବ ଦାଏର୍ କରିଥିବା ଛାଡ଼ପତ୍ର ମାମଲାକୁ ସ୍ଥାନାନ୍ତର କରାଯିବା ପାଇଁ ପ୍ରାର୍ଥନା କରି ବର୍ଷା ସୁପ୍ରିମ୍କୋର୍ଟରେ ଏକ ଟ୍ରାନ୍ସଫର ପିଟିସନ୍ ଦାଏର୍ କରିଥିଲେ । ମାମଲାକୁ ସ୍ଥାନାନ୍ତର ନକରିବା ଯାଏ ପଟିଆଲା ହାଉସ୍ କୋର୍ଟରେ ଛାଡ଼ପତ୍ର ମାମଲାର ଶୁଣାଣି କରାନଯିବାକୁ ବି ପ୍ରାର୍ଥନା କରିଛନ୍ତି ବର୍ଷା ।